ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ବେଶ

ପୁରୀ : ଆଜିଠୁ ମହାପଞ୍ଚୁକ ବ୍ରତ । ପଞ୍ଚୁକ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ବେଶ ଅନୁଷ୍ଠିତ ହୋଇଛି । ଆଜି ପ୍ରଥମ ଦିନରେ ହରି ଉତ୍ଥାପନ ଏକାଦଶୀ ପାଇଁ ନୀତି କରାଯିବା ସହ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ଆସନ୍ତାକାଲି ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହେବ । ପଞ୍ଚୁକର ତୃତୀୟ ଦିନରେ ଠାକୁରଙ୍କ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶ ଓ ପଞ୍ଚମ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜରାଜେଶ୍ବର ବା ସୁନାବେଶ ଅନୁଷ୍ଠିତ ହେବ । ପଞ୍ଚକ ବ୍ରତଧାରୀଙ୍କୁ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ପଞ୍ଚୁକ ୫ ଦିନ ଧରି ଶ୍ରୀକ୍ଷେତ୍ରରେ ଜମିବ ଭିଡ଼ ।

ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବା ବେଳେ ଶ୍ରୀମନ୍ଦିର ଠାରୁ ମର୍ଚିକୋଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଭକ୍ତଙ୍କ ମୌଳିକ ସୁବିଧା,  ଅସ୍ଥାୟୀ ଟଏଲେଟ ସହ ପ୍ରାୟ ୫୦ଜଣ ସ୍ଵେଛାସେବୀଙ୍କୁ ଜଳ ବଣ୍ଟନ ପାଇଁ  ମୁତୟନ କରାଯିବ । ଏହାସହ ସମସ୍ତ ପଞ୍ଚ ପୁଷ୍କରିଣୀ ଓ ମହୋଦଧିରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ ମୁତୟନ ରହିବେ । ମେଡିକାଲ ଟିମ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।