ଆଜିଠୁ ମହାପଞ୍ଚକ ବ୍ରତ, ପୁରୀରେ ସ୍ବତନ୍ତ୍ର ନୀତିକାନ୍ତି, ଧବଳେଶ୍ବରରେ ଭର୍ଚ୍ଚୁଆଲ ଦର୍ଶନ

ପୁରୀ: ଆଜିଠୁ ମହାପଞ୍ଚକ ବ୍ରତ । ପଞ୍ଚକ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ବେଶ ଅନୁଷ୍ଠିତ ହୋଇଛି । ଆଜି ପ୍ରଥମ ଦିନରେ ହରି ଉତ୍ଥାପନ ଏକାଦଶୀ ପାଇଁ ନୀତି କରାଯିବା ସହ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ।

ଆସନ୍ତାକାଲି ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହେବ । ପଞ୍ଚକ ତୃତୀୟ ଦିନରେ ଠାକୁରଙ୍କ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶ ଓ ପଞ୍ଚମ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପଞ୍ଚକ ବ୍ରତଧାରୀଙ୍କୁ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

ଅନ୍ୟପଟେ ଆଜିଠୁ ଭର୍ଚ୍ଚୁଆଲରେ ଧବଳେଶ୍ବର ଦର୍ଶନ କରିବେ ଭକ୍ତ । ଝୁଲା ପୋଲ ମରାମତି ପାଇଁ ଭକ୍ତଙ୍କୁ ମନ୍ଦିର ବାରଣ ହୋଇଛି । ଏଥିପାଇଁ ଭର୍ଚ୍ଚୁଆଲରେ ଦର୍ଶନ ବ୍ୟବସ୍ଥା କରାଯାଇଛି  । ମୁଖ୍ୟ ରାସ୍ତା କଡରେ ଥିବା ମନ୍ଦିର ଫାଟକ ନିକଟରେ ଲାଗିବ ପରଦା । ଏହି ପରଦାରେ ବାବା ଧବଳେଶ୍ବରଙ୍କ ଦର୍ଶନ କରିବେ ଭକ୍ତ । ଗତକାଲି ଆଠଗଡ଼ ଉପଜିଲ୍ଲାପାଳଙ୍କ ସହ ପୂଜକ ସମିତି, ପୋଲିସ ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବପରି ମୁଖ୍ୟରାସ୍ତା ଠାରୁ ଝୁଲା ପୋଲ ଓ ମନ୍ଦିର ବେଢ଼ା ପର୍ଯ୍ୟନ୍ତ  ୧୪୪ ଧାରା ଜାରି ରହିବ ।