ମାହାଙ୍ଗା ଗଣହତ୍ୟା: ୩ ଦିନିଆ ରିମାଣ୍ଡ ପରେ ଜେଲ ଗଲା ଅଭିଯୁକ୍ତ ଶିବ

ମାହାଙ୍ଗା: ମାହାଙ୍ଗା ଗଣହତ୍ୟା ମାମଲା । ଜେଲ୍ ଗଲା ଅଭିଯୁକ୍ତ ଶିବ ସାହୁ । ୩ ଦିନିଆ ରିମାଣ୍ଡ ପରେ ସାଲେପୁର କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟ ଅଭିଯୁକ୍ତ ଶିବକୁ ସାଲେପୁର ସବଜେଲକୁ ପଠାଇ ଦେଇଛି । ଗତକାଲି ଶିବର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା । ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିବକୁ କୋର୍ଟରେ ହାଜର କରାଯାଇଥିଲା ।

୩ ଦିନିଆ ରିମାଣ୍ଡରେ ସେ ଏକୁଟିଆ ପୁରା ପରିବାରକୁ ହତ୍ୟା କରିଥିବା କହିଥିବା ବେଳେ କୁସୁପୁର ସ୍ଥିତ କ୍ରାଇମସ୍ପଟରେ କ୍ରାଇମ ସିନ୍ ରିକ୍ରିଏଟ କରିଥିଲା ଶିବ । କେଉଁ ପରିସ୍ଥିତିରେ ଭାଇ, ଭାଉଜ, ୨ ପୁତୁରା ଓ ଝିଆରୀକୁ ରକ୍ତମୁଖା ହୋଇ ନୃଶଂସ ଭାବେ ହତ୍ୟା କରିଥିଲା, ତାହା ଟିକନିକ୍ ଦେଖାଇଥିଲା ଶିବ ସାହୁ । ହତ୍ୟାକାଣ୍ଡ ପରେ ସବୁ ମୃତଦେହକୁ ଗୋଟେ ରୁମ୍‌ରେ ଭର୍ତ୍ତି କରି ଘଣ୍ଟାଏ ବସିଥିଲା ଶିବ । ତାପରେ ସମସ୍ତଙ୍କ ହାତ ଓ ଗୋଡ଼ର ଶିରା କାଟିଦେଇଥିଲା ।

ହତ୍ୟା ପୂର୍ବରୁ କମାର ଶାଳରେ କାତି ପଜାଇଥିଲା ଅଭିଯୁକ୍ତ । ବାଲିଚନ୍ଦ୍ରପୁର ହାଟରେ ଥିବା କମାର ଶାଳକୁ ନେଇ ଅଭିଯୁକ୍ତ ଓ କମାରଶାଳ କାରିଗର ସହ ମୁହାଁମୁହିଁ ଜେରା କରିଥିଲା ପୋଲିସ । କମାରଶାଳ କାରିଗର ଅଭିଯୁକ୍ତ ଶିବ ସାହୁକୁ ଚିହ୍ନଟ କରିଥିଲା । ଜେରା ବେଳେ ନିଜ ମୁହଁରେ କହିଥିଲା ଗଣହତ୍ୟାର ପୂରା କାହାଣୀ ।