ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ
1 min readମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଆଜି ସକାଳେ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ହତ୍ୟା ଘଟଣାରେ ଏବେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।
କଟକ ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି. କେ ଜେନା ଏହି ସୂଚନା ଦେଇଛନ୍ତି । ପୂର୍ବରୁ ୫ଜଣଙ୍କୁ ଗିରଫ କରି ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ। ଅଭିଯୁକ୍ତ ପଞ୍ଚାନନ ସେଠୀ, ଅରବିନ୍ଦ ଖଟୁଆ, କ୍ଷିତୀସ୍ ଆଚାର୍ଯ୍ୟ, ଲଳିତ ମୋହନ ବରାଳ ଓ କୈଳାସ ଖୁଣ୍ଟିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ଗତକାଲି କୋର୍ଟ ଚାଲାଣ ବେଳେ ଚାଞ୍ଚଲ୍ୟକର ବୟାନ ଦେଇଥିଲା ଅଭିଯୁକ୍ତ ପଞ୍ଚାନନ ସେଠୀ । ପୂର୍ବ ଶତ୍ରୁତାରୁ କୁଳମଣି ବରାଳଙ୍କୁ ହତ୍ୟା କରିଛି କହିଥିଲା ପଞ୍ଚାନନ । ମୃତ କୁଳମଣି ଓ ତାଙ୍କ ଦୁଇ ପୁଅ ପୂର୍ବରୁ ତାଙ୍କୁ ଉଲଗ୍ନ କରି ଆକ୍ରମଣ କରିଥିଲେ । ଯେଉଁଥିପାଇଁ ଆକ୍ରୋଶ ରଖି ତାଙ୍କୁ ହତ୍ୟା କରିଛୁ ବୋଲି ସ କହିଥିଲା ପଞ୍ଚାନନ।
ଉଲ୍ଲେଖଯୋଗ୍ୟ, ଗତକାଲି ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଭୁବନେଶ୍ୱରରୁ କୈଳାସ ଖଟୁଆକୁ ଗିରଫ କରାଯାଇଥିବା ଅତିରିକ୍ତ ଆରକ୍ଷି ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଇଥିଲେ । ସେହିପରି ଗତକାଲି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏଟ କରିଥିଲା। ଏଥିସହିତ ଲୁଚାଇଥିବା ହତିଆର ଧରି ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା ସେ ।
ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକରେ ଜଙ୍କୋଟି ଗାଁରୁ ନୃତାଙ୍ଗ ଫେରୁଥିବା ବେଳେ ୧୦-୧୨ଜଣ ଦୁର୍ବୃତ୍ତ ଆକ୍ରମଣ କରିଥଲେ। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ ବଡ଼ ମେଡିକାଲରେ ଦିବ୍ୟସିଂହ ପ୍ରାଣ ହରାଇଥିଲେ।