ମାହାଙ୍ଗାରେ ଭାଗବତ ମେଳଣ, ଜାଣନ୍ତୁ ଏହି ଅନନ୍ୟ ପରମ୍ପରା ସମ୍ପର୍କରେ ଅଜଣା କଥା

କଟକ : ଦୋଳ ମେଳଣ କଥା ଆପଣମାନେ ଶୁଣିଥିବେ। ହେଲେ କଟକ ମାହାଙ୍ଗା ଅଞ୍ଚଳରେ କାହିଁ କେଉଁ କାଳରୁ ପାଳନ ହେଇ ଆସୁଛି ଭାଗବତ ମେଳଣ। ବିମାନରେ ବିଜେ ହୋଇଥାନ୍ତି ପ୍ରଭୁ ଜଗନ୍ନାଥ। ଆଉ ଜଗନ୍ନାଥଙ୍କ ପଛରେ ଭାଗବତ ପୋଥି। ଘଣ୍ଟ ଘଣ୍ଟା ଖୋଳ ସଂକୀର୍ତ୍ତନରେ ଉଛୁଳି ଉଠେ ମେଳଣ ପଡିଆ। ପିଠାପଣା ସହ ଅତିଥିରେ ପୁରୀ ଉଠିଥାଏ ଗାଁ। ରଙ୍ଗବେରଙ୍ଗର ଆତସବାଜିରେ ଝଲସି ଯାଏ ପରିବେଶ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଅଷ୍ଟମୀ ପର ପର୍ଯ୍ୟନ୍ତ ଚାଲେ ଏହି ମେଲଣ। ବିମାନରେ ଭାଗବତ ଥିବାରୁ ଏହାକୁ ଭାଗବତ ବିମାନ କୁହାଯାଏ। ପ୍ରତିଦିନ ଏହି ବିମାନ ସବୁ ଘର ଘର ବୁଲି ଗାଁରେ ଭୋଗ ଖାଇବା ପରେ ସନ୍ଧ୍ୟାରେ ମେଳଣ ପଡ଼ିଆକୁ ଯାଆନ୍ତି।

ଭାଗବତର ପ୍ରଚାର ପ୍ରସାର ସହ ଭାଇଚାରାର ଏକ ସମୃଦ୍ଧ ପରମ୍ପରା ତିଆରି କରିବା ଏହାର ବିଶେଷତ୍ବ। ଗୋଟିଏ ଗାଁରେ ମେଳଣ ସାରିଲେ ପୁଣି ଆର ଗାଁରେ ସେହି ସମାନ ପରମ୍ପରା ବହନ କରି ଭାଗବତ ମେଳଣ ଅନୁଷ୍ଠିତ ହୁଏ। ଗାଁ ଗାଁ ଘର ଘର ବୁଲି ଭୋଗ ଖାଇବା, ଏକାଠି ଭଜନ ସଂକୀର୍ତ୍ତନ କରିବା, ଭାବବତ ଶୁଣିବା, ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ରାତିସାରା ମେଳଣରେ ସାମିଲ ହେବା ପରସ୍ପରକୁ ସ୍ନେହ ଶ୍ରଦ୍ଧା ଶିଖାଇବା ସହ ସାମାଜିକ ବନ୍ଧନକୁ ଆହୁରି ସୁଦୃଢ଼ କରେ।