ଭୁବନେଶ୍ବର : ରାଜ୍ୟରେ ନଦୀ ଦୂଷିତ। ଏହାର ପାଣି ବ୍ୟବହାର କଲେ ବ୍ୟାପୁଛି ଝାଡ଼ାବାନ୍ତି। ଛତିଶଗଡ଼ର ଦାଦାଗିରି ଯୋଗୁ ଶୁଖିଲା ପଡ଼ିଛି ଓଡ଼ିଶାର ଜୀବନରେଖା ମହାନଦୀ। ଏବେ ପୁଣି ଛତିଶଗଡ଼, ମହାନଦୀ ଇନ୍ଦ୍ରାବତୀ ନଦୀ ସଂଯୋଗୀକରଣ ସହ ଇନ୍ଦ୍ରାବତୀ ନଦୀ ଉପରେ ବୋଧଘାଟ ପ୍ରକଳ୍ପ କରିବାକୁ ଘୋଷଣା କରିଛି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ଓଡ଼ିଶା ନଦୀ ସୁରକ୍ଷା ସମ୍ମିଳନୀ। ମହାନଦୀ ଶୁଖି ଯିବାକୁ ବସିଥିବା ବେଳେ, ଛତିଶଗଡ଼ର ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ। ମହାନଦୀ, ଇନ୍ଦ୍ରାବତୀ ନଦୀ ସଂଯୋଗୀକରଣ ଓ ଇନ୍ଦ୍ରାବତୀ ନଦୀରେ ଛତିଶଗଡ଼ର ବୋଧଘାଟ ପ୍ରକଳ୍ପକୁ ବିରୋଧ କରିବାକୁ ପ୍ରସ୍ତୁତ ହୋଇଛି ରଣନୀତି। ଏହି ପ୍ରକଳ୍ପକୁ କରାଇ ନଦେବାକୁ ଚେତାବନୀ ଦେଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ଖୁବଶୀଘ୍ର ମହାନଦୀ ସମେତ ରାଜ୍ୟର ଅନ୍ୟାନ୍ୟ ନଦୀକୁ ବଞ୍ଚାଇବାକୁ ପ୍ରସ୍ତୁତ ହେବ କମିଟି। ତେବେ ଓଡ଼ିଶାରେ ନଦୀର ସ୍ଥିତିକୁ ନେଇ ବର୍ଷିଛନ୍ତି ଜଳ ମାନବ ରାଜେନ୍ଦ୍ର ସିଂ। ତାଙ୍କ କହିବା କଥା, ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଥିବା ବେଳେ, ଆଲୋଚନା କରି ଜଳ ବିବାଦର କରାଯାଉ ସମାଧାନ। ବିକାଶ ନାଁରେ ନଦୀକୁ କରାଯାଉଛି ହତ୍ୟା। ଓଡ଼ିଶାର ସବୁ ନଦୀ ଉପରେ ଶ୍ୱେତପତ୍ର ପ୍ରକାଶ ହେବା ଦରକାର ବୋଲି ସମ୍ମିଳନୀରେ ଉଠିଛି ଦାବି।
ସେପଟେ ମନଇଚ୍ଛା ବ୍ୟାରେଜ, ବନ୍ଧ କରି ଜଳର ପ୍ରାକୃତିକ ପ୍ରବାହକୁ ରୋକି ନଦୀକୁ ମାରି ଦିଆଯାଉଛି। ତେଣୁ ସରକାର ଏସବୁ ଉପରେ ଧ୍ୟାନ ଦେବା ଜରୁରୀ। ରାଜ୍ୟରେ ସ୍ୱତନ୍ତ୍ର ନଦୀ ବିଭାଗ, ନଦୀ ନୀତି ଓ ନଦୀ ବଜେଟ ପାଇଁ ଉଠିଛି ଦାବି। ଛତିଶଗଡ଼ ମହାନଦୀରେ ପାଣି ନ ଛାଡିବା ଓ ଆନ୍ଧ୍ର ପୋଲଭରମ କରି ଓଡ଼ିଶାକୁ ବୁଡାଇବା ପାଇଁ ଯୋଜନା କରିଥିବା ବେଳେ, ଏବେ ନୂଆ ପ୍ରକଳ୍ପ ପାଇଁ ଅନୁମତି ପାଇଛି। ସବୁ ଜାଣି ବି ଚୁପ୍ ହୋଇ ବସିଛନ୍ତି ରାଜ୍ୟର ବିଜେପି। ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ମୁହଁ ନ ଖୋଲିଲେ ଓଡ଼ିଶା ଆହୁରି କ୍ଷତି ସହିବ ବୋଲି ଚେତାଇ ଦେଇଛନ୍ତି ବିଶେଷଜ୍ଞ। ଇନ୍ଦ୍ରାବତୀ ଓଡିଶାରୁ ସୃଷ୍ଟି। କିନ୍ତୁ ଏବେ ଲାଭ ନେବ ଛତିଶଗଡ଼। ବସ୍ତର ଅଞ୍ଚଳର ଦାନ୍ତେୱାଡା, ସୁକମା, ବିଜାପୁର ଅଞ୍ଚଳ ଜଳସେଚିତ ହେବ। ୪ ପ୍ରତିଶତ ବଢ଼ିବ ଜଳସେଚନ। ଆଉ ଏବେଠୁ ପ୍ରତିବାଦ ନକଲେ ଓଡ଼ିଶା ସହିବ କ୍ଷତି। ଛତିଶଗଡ଼ର ବୋଧଘାଟ ପ୍ରକଳ୍ପ ହେଲେ ଓଡ଼ିଶାର ବହୁ ଅଞ୍ଚଳ ପାଣି ପାଇବନି ବୋଲି ଚେତାଇ ଦେଇଛନ୍ତି ଜଳ ବିଶେଷଜ୍ଞ।

