ମହାନଦୀ ବିବାଦ ସମାଧାନ ପାଇଁ ସବୁ ଅଂଶୀଦାରଙ୍କୁ ସାମିଲ କରିବାକୁ ଆହ୍ଵାନ

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ଜଳ ବିବାଦର ସମାଧାନ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସର୍ବଦଳୀୟ ବୈଠକ ପରେ ଆସନ୍ତା ୨୮ ତାରିଖରେ ଛତିଶଗଡ଼ ଗସ୍ତ କରିବ ଏହି ସଂଗଠନର ଏକ ପ୍ରତିନିଧି ଦଳ । ୨୯ ତାରିଖରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବ । ମହାନଦୀ ହକ୍ ପାଇବା ଯାଏଁ ଲଢେଇ ଜାରି ରହିବ ବୋଲି ବିଜେଡି କହିଥିବା ବେଳେ ବିଜେପି ସରକାର ସମାଧାନର ବାଟ ବାହାର କରନ୍ତୁ ବୋଲି ଆହ୍ଵାନ ଦେଇଛି ଦଳ । ସେପଟେ କଂଗ୍ରେସ ଚେତାବନୀ ଦେଇ କହିଛି ମହାନଦୀ ସମସ୍ୟାର ସମାଧାନ ନ ହେଲେ ପୂରା ଓଡ଼ିଶାରେ ଆନ୍ଦୋଳନ ମୁଣ୍ଡ ଟେକିବ ।
ଓଡ଼ିଶାରେ ବିଜେପି ସରକାର, ଛତିଶଗଡ଼ରେ ବିଜେପି ସରକାର । କେନ୍ଦ୍ରରେ ବି ବିଜେପି ସରକାର । ୮ ବର୍ଷର ଲଢେଇ ପରେ ଏବେ ସୁଯୋଗ ଆସିଛି ଓଡ଼ିଶାର ଜୀବନ ରେଖାକୁ ନ୍ୟାୟ ଦେବା ପାଇଁ । ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ହୋଇଥିବା ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଆସନ୍ତା ୨୮ ତାରିଖରେ ଛତିଶଗଡ଼ର ବିଭିନ୍ନ ସାମାଜିକ ସଂଗଠନ ଓ ୨୯ ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରାଯିବ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଯୁକ୍ତି ଅନୁସାରେ କେବଳ ଦୁଇ ରାଜ୍ୟ ସରକାର ଭିତରେ ସମାଧାନ ସମ୍ଭବ ନୁହେଁ । ମହାନଦୀ ସହ ଜଡ଼ିତ ପ୍ରତ୍ୟେକ ଅଂଶୀଦାର ବା ଷ୍ଟେକ୍ ହୋଲଡରଙ୍କୁ ମଧ୍ୟ ସାମିଲ କରାଯିବା ଆବଶ୍ୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟି । ସର୍ବସମ୍ମତିରେ ସମାଧାନ ପାଇଁ ସରକାର ଚେଷ୍ଟା କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ମହାନଦୀ ଅବବାହିକା ହେଉଛି ୧ ଲକ୍ଷ ୪୧ ହଜାର ବର୍ଗ କିଲୋମିଟର । ଏହାକୁ ସୁରକ୍ଷିତ ରଖିବାକୁ ମଧ୍ୟ ସର୍ବସମ୍ମତି କ୍ରମେ ଆଲୋଚନା ହେବା ଦରକାର । ଟ୍ରିବ୍ୟୁନାଲ ଏହାର ସମାଧାନ ନୁହେଁ । ଆପୋଷ ବୁଝାମଣାରେ ଏହା ସମ୍ଭବ ହୋଇପାରିବ । ସରକାର ଏବଂ ବିରୋଧୀ ଏକାଠି ହୋଇ କାମ କଲେ ସମାଧାନ ହୋଇପାରିବ । ସରକାର ଏ ପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ରହିଛି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟିର ଆବାହକ ସୁଦର୍ଶନ ଦାସ କହିଛନ୍ତି ।
ବିଜେଡି ଆହ୍ଵାନ ଦେଇଛି, ବିଜେପି ସରକାର ଜଳ ବିବାଦର ସମାଧାନ କରନ୍ତୁ । ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ଓଡ଼ିଶାର ଜୀବନ ରେଖାକୁ ଜୀବିତ ରଖିବା ପାଇଁ ବିଜେଡି ସବୁ ସ୍ତରରେ ଲଢ଼େଇ ଜାରି ରଖିଛି । ରାଜ୍ୟ ସରକାର ମହାନଦୀ ଜଳ ବିବାଦର ଆପୋଷ ସମାଧାନ କଥା କହୁଥିବା ବେଳେ କି ପ୍ରକାର ଆପୋଷ ସମାଧାନ କରୁଛନ୍ତି ତାହା ରାଜ୍ୟବାସୀଙ୍କୁ ଜଣାନ୍ତୁ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ମହାନଦୀ ଜଳ ବିବାଦକୁ ଯଦି ଏ ଟ୍ରିପଲ ଇଞ୍ଜିନ ସରକାର ସମାଧାନ ନ କରନ୍ତି, ଓଡ଼ିଶାବାସୀ ଆନ୍ଦୋଳନ କରି ଏ ସରକାରକୁ ଉଚିତ ଶିକ୍ଷା ଦେବେ ।