ଛତିଶଗଡ଼ ନିର୍ବାଚନ ଫଳାଫଳ ସହ ଫେରିଲା ମହାନଦୀ ରାଜନୀତି

ରାୟପୁର: ଛତିଶଗଡ଼ରେ ବଦଳିଲା ସରକାର । ହାତକୁ ହରାଇ କରି କ୍ଷମତାକୁ ଫେରିଛି ପଦ୍ମ । ୫ ବର୍ଷ ପରେ ପୁଣିଥରେ ଛତିଶଗଡ଼ରେ ବିଜେପି ରାଜ ଆରମ୍ଭ ହେବାକୁ ଯାଉଛି । ହେଲେ ମହାନଦୀ ପ୍ରସଙ୍ଗରେ ବଦଳିବ କି ଆଭିମୁଖ୍ୟ ? ଦୀର୍ଘଦିନ ଧରି ମହାନଦୀ ଜଳ ବିବାଦ ନେଇ ଉଭୟ ବିଜେପି ଓ କଂଗ୍ରେସ ପରସ୍ପରକୁ ଦୋଷ ଦେଇଆସୁଛନ୍ତି । ବେଶ କିଛି ବର୍ଷର ନିରବତା ପରେ ପୁଣିଥରେ ଛତିଶଗଡ଼ ନିର୍ବାଚନ ଫଳାଫଳ ସହ ଫେରିଛି ମହାନଦୀ ରାଜନୀତି ।

ବିଜେପି ସରକାରର ନୂଆ ଇନିଂସ ଆରମ୍ଭ ପୂର୍ବରୁ ରାଜ୍ୟ କଂଗ୍ରେସ ମହାନଦୀ ଜଳବିବାଦକୁ ନେଇ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି । କଂଗ୍ରେସ କହିଛି ଛତିଶଗଡ଼ ବେଆଇନ ଭାବେ ବ୍ୟାରେଜ ନିର୍ମାଣ କରିବା ବେଳେ ରାଜ୍ୟ ବିଜେପି ମୂକ ଦର୍ଶକ ସାଜିଥିଲା । ଛତିଶଗଡ଼ରେ ପୁଣି ବିଜେପି ସରକାର ଆସିଥିବାରୁ ରାଜ୍ୟ ବିଜେପି ଓଡ଼ିଶା ସ୍ବାର୍ଥକୁ ଗୁରୁତ୍ବ ଦେଇ ଜଳବିବାଦର ସମାଧାନ କରୁ ବୋଲି କଂଗ୍ରେସ କହିଛି । ବିଜେପି କିନ୍ତୁ ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ଏଡ଼ାଇ କଂଗ୍ରେସକୁ ଟାର୍ଗେଟ କରିଛି । ଯାହାକୁ ନେଇ ମୁହାଁମୁହିଁ ବିଜେପି ଓ କଂଗ୍ରେସ ।

ଛତିଶଗଡ଼ରେ ଓଡ଼ିଶାକୁ ହକ ପାଇଁ ଆଇନଗତ ଲଢେଇ ଜାରି ରଖିଛନ୍ତି ରାଜ୍ୟ ସରକାର। ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ବିରୋଧରେ ସଂସଦରୁ ଆରମ୍ଭ କରି ଟ୍ରିବ୍ୟୁନାଲ ଯାଏ ତଥ୍ୟ ରଖି ନ୍ୟାୟ ଦାବି କରି ଚାଲିଛି ଓଡ଼ିଶା । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶାକୁ ତାହାର ହକ ନମିଳିବା ଯାଏ ରାଜ୍ୟ ସରକାର ଲଢେଇ ଜାରି ରଖିବେ ବୋଲି ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି । ଏହାସହ ବିରୋଧୀ ମହାନଦୀ ପ୍ରସଙ୍ଗରେ ରାଜନୀତି ନକରି ରାଜ୍ୟସ୍ବାର୍ଥକୁ ଗୁରୁତ୍ବ ଦେବାକୁ ଉଭୟ ବିଜେପି ଓ କଂଗ୍ରେସକୁ ପରାମର୍ଶ ଦେଇଛି ବିଜେଡି ।

ଓଡ଼ିଶା ଅଭିବୃଦ୍ଧି ଓ ପ୍ରଗତିରେ ମହାନଦୀର ପ୍ରମୁଖ ଭୂମିକା ରହିଛି । ୨୦୧୭ ମସିହାରୁ ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ବେଆଇନ ଭାବେ ବ୍ୟାରେଜ ନିର୍ମାଣ କରିଛି । ଯାହାକୁ ଓଡ଼ିଶା ବିରୋଧ କରି ଆସୁଛି । ଜଳ ବିବାଦର ସମାଧାନ ପାଇଁ ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବିରୋଧୀ ମଧ୍ୟ ପରସ୍ପରକୁ ଦୋଷ ଲଦିବାକୁ ନେଇ ଉଷ୍ମ ହୋଇଛି ରାଜନୀତି ।