ଗନ୍ଧମାର୍ଦ୍ଦନ ପାଦଦେଶରେ ଜମି କିଣା ବିବାଦକୁ ନେଇ ସ୍ପଷ୍ଟିକରଣ ରଖିଲା କମ୍ପାନୀ

ଭୁବନେଶ୍ବର: ଓଡ଼ିଶାର ଗନ୍ଧମାର୍ଦ୍ଦନ ପାଦଦେଶରେ ଜମି କିଣିବା ପ୍ରସଙ୍ଗରେ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ ଲିମିଟେଡର ସ୍ପଷ୍ଟୀକରଣ ଦିଆଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ବନୀକରଣ ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ବନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଇଚ୍ଛୁକ ଜମି ମାଲିକଙ୍କଠାରୁ ଘରୋଇ ଜମି ଅଧିଗ୍ରହଣ କରାଯାଇଛି । ଜମି ଅଧିଗ୍ରହଣର ଉଦ୍ଦେଶ୍ୟ ଜମି ମାଲିକମାନଙ୍କ ସହ ବିକ୍ରୟ ଦସ୍ତାବିଜରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।

କମ୍ପାନୀ ପକ୍ଷରୁ ଆଡୁରି କୁହାଯାଇଛି, ଏହି ଜମି ଅଧିଗ୍ରହଣ କୌଣସି ବାଣିଜ୍ୟିକ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ ନୁହେଁ ଏବଂ କ୍ଷତିପୂରଣ ବନୀକରଣ କାରଣରୁ ସ୍ଥାନୀୟ ପରିବେଶକୁ ଏହା ସମୃଦ୍ଧ କରିବ । ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବ୍ୟାପକ ମାର୍ଗଦର୍ଶିକା ଅନୁଯାୟୀ ହୋଇଛି । ଯେଉଁଥିରେ ପ୍ରକଳ୍ପ ପ୍ରସ୍ତାବକ ରାଜ୍ୟ କିମ୍ବା ରାଜ୍ୟ ବାହାରେ ଯେକୌଣସି ସ୍ଥାନରେ ଜମି କିଣି ପାରିବେ । ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ତତ୍ପରତା ପରେ ବଲାଙ୍ଗୀର ଡିଭିଜନର ଜିଲ୍ଲା ବନ ଅଧିକାରୀ ଏଥିପାଇଁ ଅକ୍ଟୋବର ମାସରେ ଉପଯୁକ୍ତ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

୨୦୨୨ ମସିହାରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରାଳୟ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ବାଣିଜ୍ୟିକ ଖଣି ଉଦ୍ଦେଶ୍ୟରେ ପ୍ରତିଯୋଗିତାମୂଳକ ନିଲାମ ମାଧ୍ୟମରେ ବିଜାହାନ କୋଇଲା ଖଣିକୁ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସକୁ ହସ୍ତାନ୍ତର କରିଥଲେ । ଏହି ପ୍ରକଳ୍ପ ଅଞ୍ଚଳରେ ଉଲ୍ଲେଖନୀୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବା ସହ ଜିଲ୍ଲା ଓ ରାଜ୍ୟ ପ୍ରଶାସନର ଟିକସ ରାଜସ୍ୱ ବୃଦ୍ଧି କରିବ । ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ଏହି ଅଞ୍ଚଳର ଅଭିବୃଦ୍ଧି ଓ ବିକାଶ, ସକାରାତ୍ମକ ପରିବର୍ତ୍ତନ ଓ ସ୍ଥାନୀୟ ତଥା ଅନ୍ୟ ଅଂଶୀଦାରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।