ମହାନଦୀ ଆନ୍ତଃ-ରାଜ୍ୟ ଜଳ ବିବାଦର ସମଧାନ ପାଇଁ ଫିଟିବ କି ବାଟ ?

1 min read

ଭୁବନେଶ୍ବର ;  ମହାନଦୀ ଆନ୍ତଃ-ରାଜ୍ୟ ଜଳ ବିବାଦର ସମଧାନ ପାଇଁ ଫିଟିବ କି ବାଟ ? ଛତିଶଗଡ଼-ଓଡ଼ିଶାର ଦୁଇ ବିଜେପି ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପରେ ମହାନଦୀକୁ ନେଇ ପୁଣି ଚର୍ଚ୍ଚା । ଉଭୟ ରାଜ୍ୟ ମୁଖ୍ୟଙ୍କ ଆପୋଷ ଆଲୋଚନା ଉପରେ ସମସ୍ତଙ୍କ ନଜର। କଣ ହୋଇପାରେ ସମାଧାନର ବାଟ ? କଣ ରହିଛି ଟ୍ରିବ୍ଯୁନାଲରେ ବିଚାରାଧୀନ ମାମଲାର ସ୍ଥିତି ? ଦ୍ବିପାକ୍ଷିକ ବୈଠକରେ କଣ ଦାବି କରିପାରେ ଓଡ଼ିଶା ? ଏହାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ସାକ୍ଷ୍ୟ ତାଲିକାର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ତ୍ରିପାଠୀ କହିଛନ୍ତି, ପ୍ରଥମେ ଓଡ଼ିଶା ଜଳ ସଂରକ୍ଷଣର ଯୋଜନା କରିବା ଦରକାର। ଟ୍ରିବ୍ଯୁନାଲର ଅନୁମତି ନେଇ ହୀରାକୁଦରୁ ପାରାଦୀପ ମଧ୍ୟରେ ଦୁଇ-ଚାରୋଟି ଛୋଟ ବ୍ୟାରେଜ ନିର୍ମାଣ କରିବା ଦରକାର। ଯେଉଠି ଖରାଦିନ ପାଇଁ ଜଳ ସଂରକ୍ଷଣ ହେବ ଏବଂ ବିଜୁଳି ଉତ୍ପାଦନ ମଧ୍ୟ ହୋଇପାରିବ । ଏହା ସହ ଖରାଦିନେ ପର୍ଯ୍ୟାପ୍ତ ପରିମାଣର ଜଳ ପ୍ରବାହ ପାଇଁ ଓଡ଼ିଶା ଦାବି କରିବା ଉଚିତ।

ଖରାଦିନେ ମହାନଦୀ ପାଣି ଛତିଶଗଡ଼ ଅଟକାଉଥିବାରୁ ଓଡ଼ିଶାକୁ ଯେତିକି ପାଣି ଆବଶ୍ୟକ ତାହା ମିଳୁନାହିଁ। ୧୬ ଟି ଜିଲ୍ଲାର ଲୋକେ ମହାନଦୀ ଜଳ ଉପରେ ନିର୍ଭରଶୀଳ ଥିବାରୁ ଖରାଦିନେ ୨ଲକ୍ଷ ମିଲିଅନ୍ ଏକର ଫୁଟ ଜଳ ଆବଶ୍ୟକ। ହେଲେ ଏବେ ମିଳୁଛି ମାତ୍ର ୧.୨୫ଲକ୍ଷ ମିଲିଅନ୍ ଏକର ଫୁଟ ପାଣି । ଆପୋଷ ଆଲୋଚନା ହେଲେ ଓଡ଼ିଶା ପ୍ରଥମେ ଖରାଦିନେ ଆବଶ୍ୟକ ଜଳ ଛାଡ଼ିବାକୁ ଛତିଶଗଡ଼ ପାଖରେ ଦାବି ରଖିବା କଥା ବୋଲି ବିଶେଷଜ୍ଞ କହିଛନ୍ତି। ଏହା ସହ ସରକାର ଆଲୋଚନା ପୂର୍ବରୁ ମହାନଦୀର ସୁରକ୍ଷା ପାଇଁ କାମ କରୁଥିବା ବିଭିନ୍ନ ଜନ ସଙ୍ଗଠନକୁ ସାମିଲ କରିବାକୁ ମହାନଦୀ ବଞ୍ଚାଅ ଅଭିଯାନ ଦାବି କରିଛି। ଆନ୍ତଃ-ରାଜ୍ୟ ଜଳ ବିବାଦ ଟ୍ରିବ୍ଯୁନାଲରେ ମାମଲା ବିଚାରାଧୀନ ଥିବା ବେଳେ ଉଭୟ ରାଜ୍ୟ ଆପୋଷ ଆଲୋଚନା କରି ସମାଧାନ ପାଇଁ ଟ୍ରିବ୍ଯୁନାଲ ସବୁଜ ସଙ୍କେତ ଦେଇଛି। ଉଭୟଙ୍କ ମଧ୍ୟରେ ଯାହା ସମାଧାନ ହେବ, ତାହା ଗ୍ରହଣ କରିବାରେ ଟ୍ରିବ୍ଯୁନାଲ ପାଇଁ କିଛି ସମସ୍ୟା ହେବ ନାହିଁ। ହେଲେ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଆରମ୍ଭ ପାଇଁ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ଗୁରୁତ୍ବପୂର୍ଣ୍ଣ।