ଟ୍ରିପଲ୍ ଇଞ୍ଜିନ ସରକାରକୁ ଖୋଲା ଚେତାବନୀ: ମରୁଭୂମି ପାଲଟିଲାଣି ମହାନଦୀ, ତୁରନ୍ତ ଫେରାଅ ଓଡ଼ିଶା ହକ୍

ଭୁବନେଶ୍ବର: ମହାନଦୀରେ ଜଳ ସଙ୍କଟ ଭୟଙ୍କର ହେବାକୁ ଯାଉଛି । ଖାଲି ପଡିବାର ୬ ମାସ ପରେ ଜଷ୍ଟିସ ବେଲା ତ୍ରିବେଦୀଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବା ପରେ ଟ୍ରିପଲ ଇଞ୍ଜିନ ସରକାରକୁ ସତର୍କ କରିଛି ବିଜେଡି । ଓଡ଼ିଶାର ଜୀବନ ରେଖା ସାଜିଥିବା ମହାନଦୀ ଜଳ ବିବାଦ ତୁରନ୍ତ ସମାଧାନ କରି ଓଡ଼ିଶାର ହକ ଫେରାଇବାକୁ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି । ଅନ୍ୟପଟେ ମହାନଦୀକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଏବଂ ଶ୍ରୀକାନ୍ତ ଜେନା । ମହାନଦୀ ଜଳ ବିବାଦକୁ ନେଇ ବିଜେପି ରାଜନୀତିର ଭାଷା କହିଛି । ଯାହାକୁ ନେଇ  ତେଜିବାରେ ଲାଗିଛି ଅସନ୍ତୋଷ ।

ଦିନକୁ ଦିନ ମହାନଦୀରୁ ଜଳ ପ୍ରବାହ ଓଡ଼ିଶାରେ କମିବାରେ ଲାଗିଲାଣି । ଛତିଶଗଡ଼ ମହାନଦୀ ଉପରେ ବେଆଇନ ବ୍ୟାରେଜ ନିର୍ମାଣ କରି ଓଡ଼ିଶାର ପାଣିକୁ ଅଟକାଇଛି । ୨୦୧୬ ମସିହାରୁ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି । ୨୦୧୮ ମସିହାରୁ ଟ୍ରିବ୍ୟୁନାଲରେ ଆଇନ ଗତ ଲଢେଇ ବି ଜାରି ରହିଛି । ଏହାରି ଭିତରେ କିନ୍ତୁ ଓଡ଼ିଶାକୁ ତା’ର ହକ ମିଳୁନାହିଁ ।

ଛତିଶଗଡ଼ରେ ସରକାର ପରେ ସରକାର ବଦଳୁଛି । ହେଲ ଓଡ଼ିଶା ପ୍ରତି ଆଭିମୁଖ୍ୟ ବଦଳୁନାହିଁ । ଯାହାକୁ ନେଇ କେନ୍ଦ୍ର ଓ ବିଜେପି ସରକାର ଉପରେ ବର୍ଷିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ତୁରନ୍ତ ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ସମସ୍ୟାର ସମାଧାନ କରୁ । ନୂଆ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ନିଯୁକ୍ତି ସମାଧାନର ବାଟ ନୁହେଁ, ବରଂ ପ୍ରକ୍ରିୟା ବିଳମ୍ବ କରିବାକୁ ଯୋଜନା ବୋଲି ବିଜେଡି ଅଭିଯୋଗ କରିଛି ।

ମହାନଦୀ ଜଳ ବିବାଦ ସମାଧାନ ହୋଇ ନଥିବାରୁ ଆଗକୁ ଓଡ଼ିଶାରେ ଭୟଙ୍କର ଜଳ ସଙ୍କଟ ଦେଖାଯିବ । ମହାନଦୀ ଜଳ ବିବାଦ ନେଇ ନୂଆ ସରକାରକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ସେ କହିଛନ୍ତି, ଡିସେମ୍ବର ମାସରେ ଶୁଖିଲା ପଡିଛି ମହାନଦୀ । ଏବେଠାରୁ ୨ ଫୁଟ ଜଳ କମିଲାଣି । ରବି ଫସଲ ପାଇଁ ପାଣି ଯୋଗେଇବା କଷ୍ଟ ହେବ ବୋଲି ସରକାରଙ୍କୁ ସତର୍କ କରିଛନ୍ତି ବିଜୟ ।

ସେହିପରି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ବିଜେପି ସରକାର ଉପରେ ବର୍ଷିଛନ୍ତି । ରାଜ୍ୟ ସରକାର ତୁରନ୍ତ ମାମଲାରେ ହସ୍ତକ୍ଷେପ କରି ଜଳ କମିଶନ ଗଠନ କରିବାକୁ ଦାବି କରିଛନ୍ତି । ସେପଟେ ମହାନଦୀ ଜଳ ବିବାଦ ନେଇ ଶେଷବିନ୍ଦୁ ଯାଏଁ ଲଢେଇ କରାଯିବ ବୋଲି ଚିରାଚରିତ ଉତ୍ତର ରଖିଛନ୍ତି  ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅନ୍ୟପଟେ ମହାନଦୀ ବଞ୍ଚାଅ ଅଭିଯାନ ମଧ୍ୟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ନେଇ ବର୍ଷିଛି ।

୬ ମାସ ପରେ ମହାନଦୀ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ନିଯୁକ୍ତି ପରେ ମହାନଦୀ ଜଳ ବିବାଦକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଉପର ମୁଣ୍ଡରେ ଛତିଶଗଡ଼ ବେଆଇନ ବ୍ୟାରେଜ ନିର୍ମାଣ କରି ଓଡ଼ିଶାର ମାଆକୁ ମାରିଦେବାକୁ ବସିଛି । ଯାହାକୁ ନେଇ ବିଜେଡି, କଂଗ୍ରେସ ଓ ମହାନଦୀ ବଞ୍ଚାଅ ଅଭିଯାନ ଜୋରଦାର ଲଢେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।