ସତ ଖବରରେ ଅଶାନ୍ତ ହେଉଛନ୍ତି ବସନ୍ତ, ଗଣମାଧ୍ୟମ ଉପରେ ଉଠାଉଛନ୍ତି ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ: ମମିତା ହତ୍ୟା ମାମଲାରେ ସତ ଦେଖାଇଛି ନନ୍ଦିଘୋଷ ଟିଭି । କେବଳ ରାଜନୈତିକ ନାଟକବାଜି ଛାଡ଼ି ତଦନ୍ତର ସବୁ ଦିଗକୁ ଉପସ୍ଥାପନ କରାଯାଇଛି। ହେଲେ ପ୍ରଶ୍ନ, ନନ୍ଦିଘୋଷ ଟିଭିକୁ ସାଂସଦ ବସନ୍ତ ପଣ୍ଡାଙ୍କ ଏତେ ଭୟ କାହିଁକି ? ତାଙ୍କ ବକ୍ତବ୍ୟରୁ ତାଙ୍କର ଭୟ ସମ୍ପୂର୍ଣ୍ଣ ଧରାପଡିଯାଇଛି । ଭୟ ଏଥିପାଇଁ କି ଯେ, ନନ୍ଦିଘୋଷ ଟଭି ବସନ୍ତ ପଣ୍ଡାଙ୍କ ଅସଲ କଥାକୁ ପଦାରେ ପକାଇଦେଲା । ମହାଲିଙ୍ଗରେ ବସନ୍ତ ପଣ୍ଡା କେମିତି ହଟହଟା ହେଲେ ଆଉ ମହାଲିଙ୍ଗ ସଭାରୁ କେମିତି ପଳାୟନ କଲେ ତାର ଚିତ୍ର ନନ୍ଦିଘୋଷ ଟିଭି ପ୍ରସାରଣ କରିଛି ।

କିନ୍ତୁ ଏହାକୁ ବସନ୍ତ ପଣ୍ଡା ମିଛ ବୋଲି କହିବା ସହ ନନ୍ଦିଘୋଷର ସଂଜ୍ଞା ବୁଝାଇବାକୁ ଚେଷ୍ଟା କରିଛନ୍ତି । ନନ୍ଦିଘୋଷ ଟିଭି ସରକାରଙ୍କ ହାତ ବାରିସୀ ସାଜିଛି ବୋଲି କହିଛନ୍ତି । ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ରାଗ କାହା ଉପରେ ଶୁଝାଉଛନ୍ତି ଆଉ କାହାକୁ । ଦେଖନ୍ତୁ ବାସ୍ତବ ଚିତ୍ର । ସତ କଣ ଆଉ ମିଛ କଣ । ପୂରା ଘଟଣାଟି ହେଲା ନଭେମ୍ବର ୭ ତାରିଖରେ କଳାହାଣ୍ଡି ସାଂସଦ ତଥା ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏକ ସାଧାଣର ସଭା ଆୟୋଜନ କରିଥିଲେ । ଅସଲରେ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ସଭାସମିତି ବିଜେପି ଆୟୋଜନ କରୁଛି ।

ମମିତା ମେହେର ହତ୍ୟା ଘଟଣାକୁ ସଭା ସହ ନିଜ ରାଜନୈତିକ ଫାଇଦା ପାଇଁ ଯୋଡି ଦିଆଯାଇଛି । ଏହାକୁ ସାଧାରଣ ଲୋକ ଠିକରେ ବୁଝିସାରିଲେଣି । ସେଥିପାଇଁ ମହାଲିଙ୍ଗରେ ବସନ୍ତ ପଣ୍ତାଙ୍କ ସଭାରେ ସାଧାରଣ ଲୋକ ନାନା ପ୍ରଶ୍ନ ପଚାରି ବସନ୍ତଙ୍କୁ ଘାଇଲା କରିବା ସହ ସଭା କରାଇଦେଇନଥିଲେ । ଲୋକଙ୍କ ଆକ୍ରୋଶ ଦେଖି ବସନ୍ତ ପଣ୍ଡା କିଛି ମହିଳାଙ୍କ ସହ ସେ ସ୍ଥାନ ଛାଡି ଚାଲିଯାଇଥିଲେ । ଏହାପରେ ବସନ୍ତ ପଣ୍ଡା ଯାଇଥିଲେ ଗୋଲାମୁଣ୍ଡା ବ୍ଲକର ଫରାଙ୍ଗ । ସେଠାରେ ବସନ୍ତଙ୍କ ଗାଡିକୁ ଅଣ୍ଡା ମାଡ ହୋଇଥିଲା । ଏହାର ଚିତ୍ର ମଧ୍ୟ ଆମେ ଦେଖାଇଥିଲୁ । ଯାହା ଭିଜୁଆଲରେ ରହିଛି ତାହା ହିଁ ଆମେ କହିଥିଲୁ । ବସନ୍ତ ପଣ୍ଡାଙ୍କ ଭଳି କିଛି ବି ମନଗଢା କଥା କହିନଥିଲୁ ।

ସ୍ବର୍ଗତ ମମିତା ମେହେରଙ୍କ ବାପା ଓ ବଡବାପା ବାରମ୍ବାର କହିଲେଣି ଯେ, ସେମାନେ ପୋଲିସ ତଦନ୍ତରେ ସନ୍ତୁଷ୍ଟ । ରାଜନୈତିକ ଦଳ ଓ ଗଣମାଧ୍ୟମକୁ ନିବେଦନ କରିଛନ୍ତି ଯେ, ମମିତାଙ୍କୁ ନେଇ ରାଜନୀତି କରାନଯାଉ । ମମିତା ରାୟପୁର କେବେ ଯାଇନାହାଁନ୍ତି । ସେ ରାୟପୁର ଯାଇଥିଲେ ବୋଲି କହି ତାଙ୍କ ଚରିତ୍ର ସଂହାର କରାନଯାଉ । ତା ସତ୍ତ୍ବେ ବିଜେପି ତାର ଅଭିଯାନ ଜାରି ରଖିଛି । ଏହା ପଛର ଉଦ୍ଦେଶ୍ୟ ସାଧାରଣ ଲୋକେ ବୁଝିସାରିଛନ୍ତି । ବିଜେପି ତାର ଉଦ୍ୟମ ଜାରି ରଖୁ । ସେକଥା ସାଧାରଣ ଲୋକେ ବୁଝିବେ । କିନ୍ତୁ ନନ୍ଦିଘୋଷ ଟିଭି ଉପରେ ଏଭଳି ଟିପ୍ପଣୀ ଦେବା ତାଙ୍କ ଭିତରେ ଥିବା ଭୟକୁ ହିଁ ପଦାରେ ପକାଉଛି ।

Leave a Reply