ପାଠ ପଢିବାକୁ ଭଙ୍ଗା ବାଉଁଶ ପୋଲ ଦେଇ ନଦୀ ପାର ହେଉଛନ୍ତି ପିଲା

ମହାକାଳପଡା ; ଶୁଣିଲାନି ପ୍ରଶାସନ । ନିଜସ୍ଵ ଉଦ୍ଯମରେ ଗୋବରୀ ନଦୀ ଉପରେ ବାଉଁଶ ପୋଲ ନିର୍ମାଣ କରି ଚଳୁଥିଲେ ଗ୍ରାମବାସୀ । ମରାମତି ଅଭାବରୁ ତାହା ମଧ୍ଯ ଭାଙ୍ଗିଗଲା । ଏବେ ଜୀବନକୁ ବାଜି ଲଗାଇ ଭରା ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କଂସାର ବଡ଼ ଦାଣ୍ଡୁଆ ପଞ୍ଚାୟତର ତରପଦା ଗାଁକୁ ଲାଗି ବହି ଯାଇଛି ଗୋବରୀ ନଦୀ । ଯାତାୟତ ସୁବିଧା ପାଇଁ ଗୋବରୀ ନଦୀ ଉପରେ ଗ୍ରାମବାସୀ ମାନେ ବାଉଁଶ ପୋଲ ନିର୍ମାଣ କରିଥିଲେ । ବାଉଁଶ ପୋଲ ଦେଇ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତର ଲୋକମାନେ ଜଗତଯୋର, ସୁନୀତି ଆଦି ସ୍ଥାନକୁ ଯାଇଥାନ୍ତି । ନଦୀର ଆରପଟରେ ଥିବା ସୁନୀତି ପଞ୍ଚାୟତର ସୁଗଲ, ଦତ୍ତପୁର ଓ ଖରିଅଣ୍ଟା ଆଦି ଗାଁର ଶତାଧିକ ଛାତ୍ରଛାତ୍ରୀମାନେ ବାଉଁଶ ପୋଲ ଦେଇ ତରପଦାସ୍ଥିତ ହାଇସ୍କୁଲକୁ ପାଠ ପଢିବାକୁ ଆସିଥାନ୍ତି । ଏବେ ମାସକରୁ ଅଧିକ ଦିନ ହେବ ବାଉଁଶ ପୋଲଟି ଭାଙ୍ଗିଯିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁଇ ପଞ୍ଚାୟତବାସୀ । ଅନେକ ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଭାବରେ କୁମ୍ଭୀର ଭର୍ତ୍ତି ନଦୀରେ ଭଙ୍ଗା ବାଉଁଶ ପୋଲ ଦେଇ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି।
ସୁନୀତି ପଞ୍ଚାୟତ ଏବଂ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତ ମଧ୍ଯ ଦେଇ ବହିଯାଇଛି ଗୋବରୀ ନଦୀ । କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର , ମିନି ବ୍ୟାଙ୍କ ଓ କୁଂଜ ବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଉପରେ ସୁନୀତି ପଞ୍ଚାୟତର କିଛି ଲୋକ ନିର୍ଭର କରିଥାନ୍ତି । ତେବେ ବାଉଁଶ ପୋଲଟି ଭାଙ୍ଗି ଯିବାରୁ ଦୁଇ ପଞ୍ଚାୟତର ଲୋକମାନେ ଯିବା ଆସିବା କରିବା ପାଇଁ ପାଞ୍ଚ ଶହ ମିଟର ବଦଳରେ ୫ କିଲୋମିଟର ମିଳନମୋଡ ସେତୁ ଦେଇ ଯିବା ଆସିବା କରୁଛନ୍ତି । ଯଥାଶୀଘ୍ର ବାଉଁଶ ପୋଲଟିକୁ ମରାମତି କରାଯାଉ ଏବଂ ପୂର୍ବ ସରକାରଙ୍କ ସମୟରେ ଶୁଭ ଦିଆଯାଇଥିବା ସ୍ଥାୟୀ ପୋଲକୁ କାର୍ଯ୍ୟକାରୀ କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ । କେବେ ଦୁଇ ପଞ୍ଚାୟତରେ ଯାତାୟତ ସୁଗମ ହେଉଛି ତାହା ଉପରେ ସମସ୍ତଙ୍କର ରହିଛି ନଜର।