କେନ୍ଦ୍ରାପଡ଼ା: ଆଗକୁ ବଢୁଛି ବିଜ୍ଞାନ, ହେଲେ ଲୋକଙ୍କ ମନରୁ ଦୂର ହେଉନି ଅନ୍ଧ ବିଶ୍ୱାସ। କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ବିଜୟନଗର ଗାଁରେ ଏପରି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଜଣେ ଗର୍ଭବତୀଙ୍କ ମୃତ୍ୟୁ ପରେ ମୃତ ଦେହକୁ ସଂସ୍କାର କରିବା ବଦଳରେ ମହିଳାଙ୍କ ପେଟକୁ ଚିରି ଗଛରେ ଡେରି ଦିଆଯାଇଛି। ଅନ୍ଧ ବିଶ୍ଵାସ ରହିଛି, ଗର୍ଭବତୀଟି ମରିଗଲେ ସେ ଚିରୁଗୁଣୀ ହେବ। ମହିଳା ଜଣକ ରୋଗଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ। ଏହାପରେ ମୃତ ମହିଳାର ପେଟକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଚିରି ମୃତଦେହକୁ ନଦୀ କୁଳ ନିର୍ଜନ ସ୍ଥାନରେ ଏକ ଗଛକୁ ଡେରି ବସାଇ ଦିଆ ଯାଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ବିଜୟନଗର ଗାଁର ସନ୍ତୋଷ ସାହୁଙ୍କ ପତ୍ନୀ ପଦ୍ମିନୀ ୪ ମାସର ଗର୍ଭବତୀ ଥିଲେ। ଏହା ତାଙ୍କର ଦ୍ଵିତୀୟ ଗର୍ଭ ଥିଲା। କିନ୍ତୁ ସେ ମଧୁମେହ ରୋଗରେ ପୀଡିତ ଥିବା କାରଣରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଗତ ରବିବାର ବିଳମ୍ବିତ ରାତିରେ ପଦ୍ମିନୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତକାଲି ପଦ୍ମିନୀଙ୍କ ମୃତଦେହ ଘରକୁ ଆସିବା ପରେ ରାତିରେ ତାଙ୍କୁ ଏଭଳି ଭାବେ ଗଛ ମୂଳରେ ଡେରିକି ବସାଇ ଦିଆଯାଇଥିଲା। ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଥିଲା। ସ୍ବେଛାସେବୀ ଓ ବୁଦ୍ଧିଜୀବୀ ପରିବାର ଲୋକଙ୍କୁ ଭେଟି ଏପରି କାର୍ଯ୍ୟକୁ ବାରଣ କରିବା ସହିତ ବୁଝା ସୁଝା କରିଥିଲେ। ପରେ ମୃତଦେହକୁ ମାଟି ଖୋଳି ପୋତି ଦିଆଯାଇଥିଲା।

