ମହାମେଣ୍ଟରେ ତୁଟିଲା ଗଣିତ : ତେଜସ୍ଵୀ ଯାଦବ ମୁଖ୍ୟମନ୍ତ୍ରୀ ଚେହେରା, ମୁକେଶ ସହାନି ଉପମୁଖ୍ୟମନ୍ତ୍ରୀ ଚେହେରା

ନନ୍ଦିଘୋଷ ବ୍ୟୁରୋ : ବିହାର ରାଜଧାନୀ ପାଟନାରେ ମହାମେଣ୍ଟର ବୈଠକ ବସିଛି । ଏହି ବୈଠକରେ ତେଜସ୍ଵୀ ଯାଦବଙ୍କୁ ମହାମେଣ୍ଟର  ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣଶ କରାଯାଇଛି । ସେହିପରି ମୁକେଶ ସହାନିଙ୍କୁ ଉପମୁଖ୍ୟମନ୍ତ୍ରୀ ଚେହେରା  ଭାବେ ଘୋଷଣା କରିଛନ୍ତି   ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ । ଏହା ସହ ସେ କହିଛନ୍ତି ମହାମେଣ୍ଟର ସରକାର ଗଠନ ହେଲେ ଦୁଇ ଜଣ ଉପମୁକ୍ୟମନ୍ତ୍ରୀ ହେବେ । କିନ୍ତୁ ବୈଠକ ଲାଗି କରାଯାଇଥିବା ମଞ୍ଚରେ  କେବଳ ତେଜସ୍ବୀ ଯାଦବଙ୍କ ଫଟୋ ରହିଛି ।

ବୈଠକ ମଞ୍ଚରେ ତେଜସ୍ବୀ ଯାଦବ, ସିପିଆଇ ଏମଏଲ ର ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଭିଆଇପିର ମୁକେଶ ସହାନି, ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ଏହି ସମୟରେ ମୁକେଶ ସହାନି କହିଛନ୍ତି, ମୁଁ ସାଢେ ତିନି ବର୍ଷ ହେଲା ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ସେହି ସମୟ ଆସିଯାଇଛି । ଖାଲି ମୁକେଶ ସହାନି ନାହିଁ ଦଳର ବହୁ ନେତା ଏହାକୁ ଅପେକ୍ଷା କରିଥିଲେ ।ବିଜେପି ଦଳ ଭାଙ୍ଗିଥିଲା । ଆମେ ଗଙ୍ଗା ଜଳ ନେଇ ଶପଥ କରିଛୁ କି, ଯେଉଁ ପର୍ଯ୍ୟନ୍ତ ବିଜେପିକୁ ତଡିନାହୁଁ ସେହି ପର୍ଯ୍ୟନ୍ତ ଛାଡିବୁ ନାହିଁ । ଏବେ ସେହି ସମୟ ଆସିଯାଇଛି । ଆମେ ମହାମେଣ୍ଟ ମାଧ୍ୟମରେ ଆମ ସରକାର ଗଠନ କରିବା ସହ ବିଜେପିକୁ ରାଜ୍ୟରୁ ବାହାର କରିବା ।  ମହାମେଣ୍ଟରେ ଏକତା ଓ ମଜବୁତ ଅଛି । ଆଗାମୀ ସମୟରେ ଆମେ ନିଶ୍ଚୟ ସରକାର ଗଢିବା ।

କଂଗ୍ରେସର ପ୍ରଦେଶ ସଭାପତି ରାଜେଶ ରାମ କହିଛନ୍ତି ମହାମେଣ୍ଟ ମଜବୁତ ରହିଛି । ଆମର ହିଁ ସରକାର ଗଠନ ହେବ । ଦୀପଙ୍କର କହିଛନ୍ତି, ମହାମେଣ୍ଟରେ ୭ଟି ଦଳ ରହିଛି । ବିହାରରେ ଏଥର ସରକାର ପରିବର୍ତ୍ତନ ହେବ । ଅଶୋକ ଗେହଲଟ କହିଛନ୍ତି, ବିହାରରେ ଗଣତନ୍ତ୍ର ବିପଦରେ ରହିଛି । ବିହାରବାସୀ ପରିବର୍ତ୍ତନ ଚାହୁଁଛନ୍ତି । ମୁଁ ୫୦ ବର୍ଷରେ ଏଭଳି ନିର୍ବାଚନ କମିଶନର ଦେଖିନଥିଲି । ନିର୍ବାଚନ କମିଶନରଙ୍କ ଉପରୁ ଲୋକଙ୍କ ଭରଷା ତୁଟିଗଲାଣି । ବିଜେପି ଭ୍ରମିତ କରି ନିର୍ବାଚନ ବିଜୟୀ ହୋଇଛି ।

ମହାମେଣ୍ଟ ପକ୍ଷରୁ ୨୫୨ ସିଟରେ ପ୍ରାର୍ଥୀ ଦିଆଯାଇଛି । ଆରଜେଡି ୧୪୩, କଂଗ୍ରେସ ୬୧, ସିପିଆଇ ଏମଏଲ ୨୦, ସିପିଆଇ ୯, ସିପିଏମ ୪, ଭିଆଇପି ୧୫ ପ୍ରାର୍ଥୀ ରହିଛନ୍ତି । ଆରଜେଡି-କଂଗ୍ରେସ ୫ ସିଟରେ ଓ କଂଗ୍ରେସ-ସିପିଆଇ ୪ ସିଟରେ ମୁହାଁମୁହିଁ ହୋଇଛନ୍ତି  ।