ମହାଦେବ ଆପ୍ ଦୁର୍ନୀତି ମାମଲା; ଦୁବାଇରୁ ବନ୍ଧା ହେଲା ରବି ଉପ୍ପଲ
ନୂଆଦିଲ୍ଲୀ: ମହାଦେବ ଆପ୍ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଦୁବାଇରୁ ଗିରଫ ହେଲା ସହ-ସଂସ୍ଥାପକ ରବି ଉପ୍ପଲ। ଇଡିର ଅପିଲ ପରେ ଦୁବାଇ ପୋଲିସର ଆକ୍ସନ। ଇଡ଼ିର ନିବେଦନ ପରେ ଇଣ୍ଟରପୋଲ୍ ଦ୍ୱାରା ଜାରି ହୋଇଥିଲା ରେଡ୍ କର୍ଣ୍ଣର ନୋଟିସ। ତାକୁ ଭାରତକୁ ଆଣିବା ପାଇଁ ଆଲୋଚନା କରାଯାଉଛି।
ସୂଚସୂ ନାନୁସାରେ, ରବି ଉପ୍ପଲଙ୍କୁ ଗତ ସପ୍ତାହରେ ଦୁବାଇରେ ଗିରଫ କରାଯାଇଥିଲା। ତାଙ୍କୁ ଭାରତ ପଠାଇବା ପାଇଁ ଇଡି ଅଧିକାରୀ ଦୁବାଇ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ଭାରତରେ ଛତିଶଗଡ ଏବଂ ମୁମ୍ବାଇ ପୋଲିସ ଉପ୍ପଲ ବିରୋଧରେ ତଦନ୍ତ କରୁଛି। ଏପଟେ ଇଡି ମହାଦେବ ବେଟିଂ ଆପ୍ ସହ ଜଡିତ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି। ରବି ହେଉଛି ମହାଦେବ ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରକରର ସହଯୋଗୀ । ମହାଦେବ ବୁକ୍ ଆପ୍ ବେଟିଂ ପାଇଁ ଅନଲାଇନ୍ ପ୍ଲାଟଫର୍ମ ଯୋଗାଇଥାଏ| ଏହାକୁ ଭାରତରେ ବ୍ୟାନ୍ କରାଯାଇଛି। କିନ୍ତୁ ଏହା ଅନ୍ୟ ଦେଶରେ ଚାଲିଛି | ଛତିଶଗଡର ବାସିନ୍ଦା ଚନ୍ଦ୍ରକର ଏବଂ ତାଙ୍କ ସହଯୋଗୀ ରବି ଉପପାଲ ଦୁବାଇରୁ ଏହାକୁ ପରିଚାଳନା କରୁଛନ୍ତି। ଉଭୟଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା।
ଜେରାବେଳେ ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଥିଲେ- ରବି ପ୍ରଶାନ୍ତ ମହାସାଗର ଅନ୍ତର୍ଗତ ବାନୁଆତୁ ନାମକ ଦେଶର ଏକ ପାସପୋର୍ଟ ହାସଲ କରିଛନ୍ତି । ଏହି ପାସପୋର୍ଟ ଜରିଆରେ ସେ ଅଷ୍ଟ୍ରେଲିଆରୁ ଭିସା ଲାଗି ଆବେଦନ କରିଥିଲେ । ଗତ ଫେବ୍ରୁଆରୀରେ ଦୁବାଇରେ ମହାଦେବ ଆପର ପ୍ରମୋଟର ସୌରଭ ଚନ୍ଦ୍ରକାରଙ୍କ ବିବାହ ଉତ୍ସବରେ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲେ । ଏହି ଉତ୍ସବରେ ବହୁ ବଲିଉଡ ଅଭିନେତା ଯୋଗଦେବା ପରେ ଇଡି ମାମଲାର ଛାନବିନ କରିଥିଲା । ସୌରଭ ଓ ରବିଙ୍କ ଘର ଛତିଶଗଡ଼ ଭିଲାଇରେ ଏବଂ ସେମାନେ ଦୁବାଇରେ ରହି କାର୍ଯ୍ୟ କରୁଥିଲେ । ଭାରତ, ଥାଇଲାଣ୍ଡ, ମାଲେସିଆ ଓ ୟୁଏଇରେ ୩୦ଟି କଲ୍ ସେଣ୍ଟର କରି ସେମାନେ ବେଟିଂ ଆପ୍ ଚଳାଇଥିଲେ ।
ଇଡି ତଦନ୍ତରୁ ଜଣାପଡିଛି ଯେ ମହାଦେବ ଅନଲାଇନ୍ ବୁକ୍ ରେ ପୋକର୍, କାର୍ଡ ଗେମ୍, ତାସ୍ ଖେଳ, କ୍ରିକେଟ୍, ବ୍ୟାଡମିଣ୍ଟନ୍, ଟେନିସ୍, ଫୁଟବଲ୍ ଆଦିରେ ଗେମ୍ ଖେଳାଯାଏ। ଡ୍ରାଗନ୍ ଟାଇଗର, କାର୍ଡ ଇତ୍ୟାଦି ବ୍ୟବହାର କରି ଭର୍ଚୁଆର୍ଚୁଲ୍ କ୍ରିକେଟ୍ ଖେଳ, ଏପରିକି ଭାରତରେ ଚାଲିଥିବା ବିଭିନ୍ନ ନିର୍ବାଚନରେ ମଧ୍ୟ ବେଟିଂ କରାଇଥାଏ।ବର୍ତ୍ତମାନ ସୁଦ୍ଧା ବେଟିଂ ଆପ ମାମଲାରେ ସୁନୀଲ ଦମାନି, ଅନିଲ ଦମାନି, ଏଏସଆଇ ଚନ୍ଦ୍ରଭୂଷଣ ବର୍ମା, ଜଣେ କନଷ୍ଟେବଳ ଓ ସତୀଶ ଚନ୍ଦ୍ରକାରଙ୍କୁ ଗିରଫ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଦୈନିକ ୨୦୦ କୋଟିରୁ ଅଧିକ ଟଙ୍କାର ଟର୍ଣ୍ଣଓଭର କରୁଥିବା ବେଟିଂ ଆପକୁ ନେଇ ଗତ ନଭେମ୍ବରରେ ଛତିଶଗଡ଼ରେ ରାଜନୈତିକ ହଲଚଲ କରିଥିଲା । ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଅସୀମ ଦାସ ନାମକ ଜଣେ ବ୍ୟକ୍ତି ୫୦୮ କୋଟି ଟଙ୍କା ଦେଇଥିଲେ ବୋଲି ପ୍ରଥମେ ଦାବି କରିଥିଲେ । ମାତ୍ର ପରେ ସେ ଏହାକୁ ଅସ୍ବୀକାର କରିଥିଲେ ।
