ପରଲୋକରେ ’ମହାଭାରତ’ର ଭୀମ, ୭୪ ବର୍ଷରେ ଜୀବନ ଯୁଦ୍ଧରେ ହାରିଗଲେ ପ୍ରବୀଣ କୁମାର
1 min readନୂଆଦିଲ୍ଲୀ: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ପୂରା ଦେଶ । ଏପର୍ଯ୍ୟନ୍ତ ଦେଶବାସୀ ସ୍ୱର କୋକିଳା ଲତା ମଙ୍ଗେସକରଙ୍କ ମୃତ୍ୟୁ ଦୁଃଖରୁ ବାହାରି ପାରି ନାହାନ୍ତି । ଲତାଙ୍କ ନିଧନ ଦୁଃଖରୁ ଦେଶବାସୀ ବାହାରି ନଥିବାବେଳେ ଏବେ ମନୋରଞ୍ଜନ ଜଗତରୁ ଆସିଛି ଆଉ ଏକ ଦୁଃଖଦ ଖବର । ଆଉ ନାହାନ୍ତି ମହାଭାରତର ଭୀମ । ପରଲୋକରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରୁଥିବା ଅଭିନେତା ପ୍ରବୀଣ କୁମାର ସୋବତି । ୭୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ପ୍ରବୀଣ କୁମାର । ସେ ଦୀର୍ଘଦିନ ଧରି ଅସୁସ୍ଥତା ଏବଂ ଆର୍ଥିକ ସଙ୍କଟ ସହ ଲଢ଼ୁଥିଲେ । ଶେଷରେ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମହାଭାରତର ଭୀମ ।
Praveen Kumar Sobti, popular for playing the role of Bheem in BR Chopra’s Mahabharat, passed away today in Delhi. He will be cremated at the crematorium ground in Punjabi Bagh today. pic.twitter.com/0yzp4AMmzx
— ANI (@ANI) February 8, 2022
ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ନିଜର ଶକ୍ତିଶାଳୀ ଶରୀର ଆଧାରରେ କ୍ରୀଡାବିତ୍ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଖେଳାଳି ଭାବରେ କ୍ୟାରିୟର ଆରମ୍ଭ କରିବା ପରେ ପ୍ରବୀଣ କୁମାର ବଲିଉଡକୁ ମୁହାଁଇଥିଲେ । ସେ ବଲିଉଡରେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ । କିନ୍ତୁ ବି. ଆର ଚୋପ୍ରାଙ୍କ ମହାଭାରତ ତାଙ୍କୁ ସର୍ବାଧିକ ମାନ୍ୟତା ଦେଇଥିଲା । ଯେଉଁଥିରେ ସେ ଭୀମ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ର ତାଙ୍କୁ ପୂରା ଭାରତରେ ପ୍ରସିଦ୍ଧ କରିଥିଲା । ଶକ୍ତିଶାଳୀ ଶରୀର ହେତୁ ପ୍ରବୀଣ କୁମାରଙ୍କୁ ଭୀମ ଭୂମିକାରେ ଖୁବ୍ ପସନ୍ଦ କରିଥିଲେ ଦର୍ଶକ ।
ପ୍ରବୀଣ କୁମାର ସୋବତୀ ତାଙ୍କ ଅଭିନୟ ଜୀବନରେ ଅମିତାଭ ବଚ୍ଚନ, ଜିତେନ୍ଦ୍ରଙ୍କ ଭଳି ସୁପରଷ୍ଟାରଙ୍କ ସହ କାମ କରିଛନ୍ତି । ପ୍ରବୀଣ କୁମାର ୧୯୮୧ ମସିହାରେ ରାଧା ଚଳଚ୍ଚିତ୍ରରୁ ସେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେହି ବର୍ଷ ଆସିଥିବା ’ମେରୀ ଆଓ୍ୱାଜ୍ ସୁନୋ’ରେ ପ୍ରବୀଣ କୁମାର ସୋବତି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜିତେନ୍ଦ୍ରଙ୍କ ସହ କାମ କରିଥିଲେ । ଅମିତାଭ ବଚ୍ଚନଙ୍କ ସୁପରହିଟ୍ ଫିଲ୍ମ ’ଶେହେନ୍ସା’ରେ ମଧ୍ୟ ଅଭିନୟ କରିଥିଲେ ପ୍ରବୀଣ କୁମାର ।
ପ୍ରବୀଣ କୁମାର ସୋବତୀ ଜଣେ ଭଲ ଅଭିନେତା ସହ ଜଣେ ଭଲ ଡିସ୍କସ୍ ଥ୍ରୋ ଆଥଲେଟ ମଧ୍ୟ ଥିଲେ । ସେ କ୍ରୀଡାକ୍ଷେତ୍ରରେ ମଧ୍ୟ ଭାରତ ପାଇଁ ଅନେକ ଗର୍ବ ଆଣିଛନ୍ତି । ସେ ଏସିଆନ ଗେମ୍ସରେ ଚାରି ଥର ପଦକ ବିଜେତା ରହିଛନ୍ତି । ୧୯୬୬ରେ ହୋଇଥିବା ଏସିଆନ ଗେମ୍ସରେ ଡିସ୍କସ୍ ଥ୍ରୋ’ରେ ଗୋଲ୍ଡ ମେଡାଲ ଓ ହାମର ଥ୍ରୋ’ରେ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ସେହିପରି ୧୯୭୦ ଏସିଆନ ଗେମ୍ସରେ ଡିସ୍କସ୍ ଥ୍ରୋ’ରେ ଗୋଲ୍ଡ ମେଡାଲ ଓ ୧୯୭୪ ଏସିଆନ ଗେମ୍ସରେ ସିଲିଭର ମେଡାଲ ହାସଲ କରିଛନ୍ତି । ସେହିପରି ୧୯୬୬ରେ କିଙ୍ଗଷ୍ଟୋନରେ ହୋଇଥିବା କମନଓ୍ୱେଲ୍ଥ ଗେମ୍ସରେ ସିଲିଭର ମେଡାଲ ହାସଲ କରିଥିଲେ ପ୍ରବୀଣ କୁମାର । ଏହା ବ୍ୟତୀତ ସେ ଅଲିମ୍ପିକ ଗେମ୍ସରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ୧୯୬୮ ମେକ୍ସିକୋ ଓ ୧୯୭୨ ମ୍ୟୁନିଚ୍ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । କ୍ରୀଡ଼ାରେ ସଫଳ କ୍ୟାରିୟର ପରେ ପ୍ରବୀଣ କୁମାର ବଲିଉଡରେ ପାଦ ଥାପିଥିଲେ ।