ମହାରାଷ୍ଟ୍ର ବିଧାୟକଙ୍କ ପାଇଁ ବଦଳିଲା ରାଜସ୍ଥାନ ଗାଁର ଭାଗ୍ୟ

1 min read

ଜୟପୁର: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପରେ ବି କ୍ଷମତାକୁ ନେଇ ମହାଭାରତ ଚାଲିଛି । ସରକାର ଗଠନ ନେଇ ଅଙ୍କ ଛିଣ୍ଡୁନି କି ବାଟ ଫିଟୁନି । ହେଲେ ମହାରାଷ୍ଟ୍ର ବିଧାୟକଙ୍କ ପାଇଁ ବଦଳିଛି ରାଜସ୍ଥାନ ରାଜଧାନୀ ଜୟପୁରର ୪ଟି ଗାଁର ଭାଗ୍ୟ । ମହାରାଷ୍ଟ୍ରର ୪୪ ଜଣ ବିଧାୟକ ରାଜସ୍ଥାନର ଜୟପୁରଠାରୁ ୨୦ କିଲୋମିଟର ଦୂର ଗ୍ରାମାଞ୍ଚଳରେ ଥିବା ଏକ ରିସର୍ଟରେ ରହୁଥିଲେ ।  ସେହି ରିସର୍ଟ ଯାଏଁ ଯିବା ପାଇଁ ଥିବା ରାସ୍ତା ଆମେର ତହସିଲର ୪ଟି ଗାଁ ଦେଇ ଯାଇଛି । ଖାଲଖମାରେ ଭର୍ତ୍ତି ଥିଲା ପୂରା ରାସ୍ତା । ସ୍ଥିତି ଏମିତି ଥିଲା ଯେ, ଲୋକ ସଂଧ୍ୟା ପରେ ଏହି ରାସ୍ତାରେ ଗାଡ଼ି ନେଇ ଯିବାକୁ ସୁରକ୍ଷିତ ମଣୁନଥିଲେ । ଦୂର ଦୂର ପର୍ଯ୍ୟନ୍ତ ରହୁଥିଲା ଅନ୍ଧାରର ରାଜୁତି । ହେଲେ ରାଜସ୍ଥାନର ଏହି ଗାଁଲୋକଙ୍କ ପାଇଁ ଆଶାର ଆଲୋକ ସାଜିଲେ ମହାରାଷ୍ଟ୍ର ବିଧାୟକ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ମନ୍ତ୍ରୀ ଯେତେବେଳେ ମହାରାଷ୍ଟ୍ର ବିଧାୟକଙ୍କ ଖାତିରଦାରି ପାଇଁ ପହଞ୍ଚିଲେ, ଦେଖିଲେ ଏଠି ଜୀବନ କେତେ ଦୁର୍ବିସହ ।ବାସ୍‌, ୫ ଦିନ ଭିତରେ ହିଁ ବଦଳିଲା ଏଇ ୪ଟି ଗାଁର ଭାଗ୍ୟ। ରାତିଦିନ ଏକ କରି ବିଦ୍ୟୁତ୍ ଖୁଣ୍ଟରେ ଲଗାଗଲା ଏଲ୍‌ଇଡି ଲାଇଟ୍‌ । ରାସ୍ତାକାମ ବି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଲା । ଚାହୁଁ ଚାହୁଁ ବଦଳିଗଲା ଚିତ୍ର । ୫ ଦିନ ଭିତରେ କଚ୍ଚା ସଡ଼କ ପକ୍କା ହେଲା । ବାରମ୍ବାର ଅଭିଯୋଗ ପରେ ଯାହା ହେଉନଥିଲା, ଦିନ କେଇଟାରେ ସବୁ ହେଇଗଲା । ଏଠାକାର ଲୋକ ରାସ୍ତାରେ କେବେ ଲାଇଟ୍‌ ଦେଖିନଥିଲେ । ହେଲେ ଏବେ ମହାରାଷ୍ଟ୍ର ବିଧାୟକ ସେମାନଙ୍କ ଭାଗ୍ୟ ବିଧାତା ହୋଇ ଆସିଲେ । ଅନେକ ଦିନର ଦାବି ପୂରଣ ହେଲା, ଆଉ ରାତାରାତି ବଦଳିଗଲା ଚିତ୍ର ।

')}

Leave a Reply