ଗୃହମନ୍ତ୍ରୀ ମାସକୁ ମାଗୁଥିଲେ ୧୦୦ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କଲେ ପୂର୍ବତନ କମିଶନର

ମୁମ୍ବାଇ: ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । ଅନୀଲ ଦେଶମୁଖ, ସଚିନ ୱାଜେଙ୍କ ଠାରୁ ପ୍ରତିମାସରେ ୧୦୦ କୋଟି ମାଗୁଥିଲେ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପୋଲିସ କମିଶନର । ବାର, ପବ୍ ଓ ରେଷ୍ଟୁରାଣ୍ଟରୁ ବଟି ଆଦାୟ ପାଇଁ ଦେଶମୁଖ କହିଥିଲେ । ପରମବୀରଙ୍କ ଅଭିଯୋଗକୁ ଦେଶମୁଖ ଅଗ୍ରାହ୍ୟ କରିଛନ୍ତି । ନିଜକୁ ବଞ୍ଚାଇବା ଲାଗି ପରମବୀର ଏଭଳି ମିଥ୍ୟା ଅଭିଯୋଗ ଆଣୁଥିବା କହିଛନ୍ତି ଅନୀଲ ଦେଶମୁଖ ।
ଅନୀଲ ଦେଶମୁଖ ଟ୍ୱିଟ୍ କରି ଲେଖିଛନ୍ତି ‘ପରମବୀର ନିଜକୁ ବଞ୍ଚାଇବା ଲାଗି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଲାଗି ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି । ମୁକେଶ ଅମ୍ବାନୀ ମାମଲା ସହିତ ମନସୁଖ ହିରେନ ହତ୍ୟା ମାମଲାରେ ସଚିନ ୱାଜେଙ୍କ ସମ୍ପୃକ୍ତ ସ୍ପଷ୍ଟ ହେଉଛି ଏବଂ ଏହାର ସମ୍ବନ୍ଧ ପରମବୀର ସିଂହଙ୍କ ସହ ଜଡ଼ିତ ।’
ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିବା ସହ ଉଷ୍ଣତା ଆଣି ଦେଇଛି । ଚିଠିରେ ଅନୀଲ ଦେଶମୁଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପରମବୀର । ଅଭିଯୋଗ କରିଛନ୍ତି ଅନୀଲ ଦେଶମୁଖ ପ୍ରତି ମାସରେ ୧୦୦ କୋଟି ଟଙ୍କା ଦେବାକୁ ଦାବି କରୁଥିଲେ । ୧୦୦ କୋଟି ଟଙ୍କା ପ୍ରତି ମାସରେ ଦେବା ଲାଗି ସଚିନ ୱାଜେଙ୍କୁ ଟାର୍ଗେଟ୍ ଦିଆଯାଇଥିଲା ବୋଲି ଚିଠିରେ ଲେଖିଛନ୍ତି ପରମବୀର ।
ଏଥିସହ ପରମବୀର ସିଂହ ଚିଠିରେ ଲେଖିଛନ୍ତି ଏହି ଟାର୍ଗେଟ୍ ପୂରଣ ଲାଗି ମୁମ୍ବାଇର ବାର୍, ପବ୍ ଓ ରେସ୍ତୋରାଁରୁ ବଟି ଆଦାୟ ଲାଗି କୁହାଯାଇଥିଲା । ଚିଠି ଅନୁସାରେ, ଏହି ଟାର୍ଗେଟକୁ ନେଇ ସଚିନ ୱାଜେ କହିଥିଲେ ସେ ୪୦ କୋଟି ଟଙ୍କା ଯାଏ ଦେଇପାରିବେ, ୧୦୦ କୋଟି ବହୁତ ଅଧିକ । ପରମବୀରଙ୍କ ଦାବି ଅନୁସାରେ, ୧୦୦ କୋଟି ଟାର୍ଗେଟ୍ ପୂରଣ ଲାଗି ଅଲଗା ପନ୍ଥା ଆପଣାଇବା ଲାଗି ଅନୀଲ ଦେଶମୁଖ ସଚିନ ୱାଜେଙ୍କୁ କହିଥିଲେ ।
ପରମବୀର ଆଣିଥିବା ଅଭିଯୋଗ ?
ଅନୀଲ ଦେଶମୁଖ ଅନେକ ଥର ସଚିନ ୱାଜେଙ୍କୁ ଘରେ ଦେଖା କରିବାକୁ ଡାକିଛନ୍ତି
ଟଙ୍କା ଆଦାୟ ପାଇଁ ସଚିନ ୱାଜେଙ୍କୁ ଅନୀଲ ଦେଶମୁଖ କହିଥିଲେ
ପ୍ରତି ମାସରେ ୧୦୦ କୋଟି ଟଙ୍କା ଦେବାକୁ ୱାଜେଙ୍କୁ ଟାର୍ଗେଟ୍ ଦେଇଥିଲେ ଦେଶମୁଖ
ପ୍ରତି ବିୟର ବାର୍, ପବରୁ ୨ରୁ ୩ ଲକ୍ଷ ଟଙ୍କା ଆଦାୟ ପାଇଁ କହିଥିଲେ
ହୁକ୍କା ପାର୍ଲର ଉପରେ ରେଡ୍ ପାଇଁ କହିଥିଲେ ଅନୀଲ ଦେଶମୁଖ