୧୨ ବର୍ଷ ପରେ ମହା ବାରୁଣୀ ଯୋଗ, ଦଶାଶ୍ବମେଧ ଘାଟ ଚଳଚଞ୍ଚଳ

ଯାଜପୁର: ଆସନ୍ତାକାଲି ଯାଜପୁରର ଦଶାଶ୍ବମେଧ ଘାଟରେ ପ୍ରସିଦ୍ଧ ବାରୁଣୀ ସ୍ନାନ । ଭୋର ୮ଟା ୪୨ରୁ ୩ଟା ପର୍ଯ୍ୟନ୍ତ ମହା ବାରୁଣୀ ଯୋଗ ରହୁଥିବା କହିଛନ୍ତି ପୂଜକ । ଏହି ଯୋଗ ବାର ବର୍ଷରେ ଥରେ ପଡିଥାଏ । ବାରୁଣୀ ମେଳାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତବର୍ଷ ବାରୁଣୀରେ ସ୍ବଚ୍ଛ ପରିମଳ ଉପରେ ଅଧିକ ଦୃଷ୍ଟି ଦିଆଯାଇଛି ।  ଶ୍ରଦ୍ଧାଳୁ କିପରି ଅସୁବିଧାରେ ନପଡ଼ିବେ ଓ ସୁରକ୍ଷିତ ଭାବେ କେମିତି ବୁଡ଼ ପକାଇବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ଧ୍ୟାନ ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । ବିଶ୍ବସ ରହିଛି ଏହି ଦିନରେ ପିଣ୍ଡଦାନ କଲେ ପିତୃ ପୁରୁଷ  ମୋକ୍ଷ ପାପ୍ତି ହୋଇଥାଆନ୍ତି ।

ତେବେ ଦଶାଶ୍ବମେଧ ଘାଟକୁ ନେଇ କିଛି ଲୋକ ବିବାଦୀୟ ପୋଷ୍ଟ କରି ବାରୁଣୀ ଘାଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବାରୁଣୀ ବୁଡ଼କୁ କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ହରନ୍ତେଶ୍ବର ନିକଟରେ କରିବାକୁ ଦାବି କରିଥିଲେ । ଯାହାକୁ ବିରୋଧ କରି ବ୍ରାହ୍ମଣମାନେ ଜିଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ଏଭଳି ସ୍ଥାନ ପରିବର୍ତ୍ତନ ହେଲେ ବ୍ରାହ୍ମଣମାନେ ସେମାନଙ୍କ ଜୀବିକା ହରାଇବେ କହି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

ଦଶ୍ବାଶମେଧ ଘାଟରେ ପୂର୍ବ ପୁରୁଷରୁ ବାରୁଣୀ ମେଳା ହୋଇ ଆସୁଥିବା ବେଳେ ଏହି ଘାଟ ପ୍ରକୃତ ବାରୁଣୀ ଘାଟ ନୁହେଁ ବୋଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଖଣ୍ଡନ କରିଛନ୍ତି ଦଶ୍ବାଶମେଧ ଘାଟର ପୂଜକ ଓ ପ୍ରଶାସନ ।

ବାରୁଣୀ ସ୍ନାନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସି ବୈତରଣୀର ଦଶାଶ୍ବମେଧ ଘାଟରେ ଭିଡ଼ ଜମାଇଥାନ୍ତି । ପୋଲିସ ପକ୍ଷରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତନ କରାଯିବା ସହ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ବୁଡ ପକାଇବା ସ୍ଥାନରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏହାସହ ଅଗ୍ନିଶମ ବିଭାଗ ନିୟୋଜିତ କରାଯାଇଛି ବୋଲି ଟାଉନ ଥାନା ଅଧିକାରୀ କହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଯାଜପୁର ଉପଜିଲ୍ଲାପାଳ ।