ଥରିଲା ପଶ୍ଚିମ ମେକ୍ସିକୋର କୋଷ୍ଟାଲ ଷ୍ଟେଟ୍, ରିକ୍ଟର ସ୍କେଲରେ ତୀବ୍ରତା ୭.୬ ରେକର୍ଡ

ମେକ୍ସିକୋ: ମେକ୍ସିକୋରେ ଭୂମିକମ୍ପ । ମେକ୍ସିକୋର ପଶ୍ଚିମୀ ସହରରେ ଭୀଷଣ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୬ ଥିଲା । ୧୯୮୫ ଓ ୨୦୧୭ରେ ହୋଇଥିବା ବିନାଶକାରୀ ଭୂକମ୍ପର ବର୍ଷପୂର୍ତ୍ତି ଦିନ ଆଉ ଏକ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଜଧାନୀରେ ଏମର୍ଜେନ୍ସି ଡିଜାଷ୍ଟର ଡ୍ରିଲ୍ ଶେଷ ହେବାର ପ୍ରାୟ ଏକ ଘଣ୍ଟା ପରେ ମେକ୍ସିକୋକୁ ଥରାଇଛି ଭୂକମ୍ପ । ଭୂମିକମ୍ପ ଯୋଗୁ ସହରର ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାସ୍ତାରେ ଲୋକମାନେ ଘଣ୍ଟାଘଣ୍ଟା ଧରି ଠିଆ ହୋଇରହିଥିଲେ ।

ତେବେ ମୃତାହତଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଭୂକମ୍ପ ପରେ ମେକ୍ସିକୋରେ ସୁନାମି ଆଲର୍ଟ ଜାରି କରାଯାଇଛି । ୧୯୮୫ରେ ମେକ୍ସିକୋରେ ୮.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ । ୨୦୧୭ରେ ମେକ୍ସିକୋରେ ହୋଇଥିବା ଭୂମିକମ୍ପରେ ୩୭୦ ଜଣଙ୍କ ମୃତ୍ୟୁ ହୋଇଥିଲା ।