ମଧ୍ୟପ୍ରଦେଶ ନଗର ନିଗମ ନିର୍ବାଚନ: ସିଙ୍ଗରୌଲିରୁ ଆପ୍ ମେୟର ପ୍ରାର୍ଥିନୀ ରାନୀ ଅଗ୍ରୱାଲ ବିଜୟୀ

ଭୋପାଳ: ଦିଲ୍ଲୀ, ପଞ୍ଜାବ ପରେ ଏବେ ମଧ୍ୟପ୍ରଦେଶରେ ମଧ୍ୟ ଆମ ଆଦମୀ ପାର୍ଟି (ଏଏପି) ଏଣ୍ଟ୍ରି ମାରିଛି । ମଧ୍ୟପ୍ରଦେଶ ନଗର ନିଗମ ନିର୍ବାଚନରେ ଆପ୍ କୁ ସଫଳତା ମିଳିଛି । ସିଙ୍ଗରୌଲି ନଗର ନିଗମରେ ଆପର ମେୟର ପ୍ରାର୍ଥୀନୀ ରାନୀ ଅଗ୍ରୱାଲ ବିଜୟୀ ହୋଇଛନ୍ତି । ଏହି ବିଜୟ ସହ ଆପ ଏବେ ମଧ୍ୟପ୍ରଦେଶକୁ ଟାର୍ଗେଟ କରିଛି । ରାନୀ ୯୩୫୨ ଭୋଟରେ ନିକଟତମ ପ୍ରତିଯୋଗୀଙ୍କଠାରୁ ଜିତିଛନ୍ତି । ତାଙ୍କୁ ୩୪୫୮୫ ଭୋଟ୍ ମିଳିଛି । ଯେତେବେଳେ କି ବିଜେପିର ପ୍ରାର୍ଥୀ ଚନ୍ଦ୍ର ପ୍ରତାପ ବିଶ୍ୱକର୍ମାଙ୍କୁ ୨୫୨୩୩ ଭୋଟ ମିଳିଛି । କଂଗ୍ରେସର ଅରବିନ୍ଦ ଚନ୍ଦେଲ ତୃତୀୟରେ ରହିଛନ୍ତି । ସିଙ୍ଗରୌଲୀ ନଗର ନିଗମ ନିର୍ବାଚନ ପ୍ରଚାରରେ ଆପ୍ ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅବରବିନ୍ଦ କେଜରିୱାଲ ସାମିଲ ହୋଇଥିଲେ । ସେ ସମୟରେ ରୋଡ ଶୋ’ରେ ଲୋକମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ସିଙ୍ଗରୌଲୀରୁ ଗତଥର ବିଜେପି ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ ।

ମଧ୍ୟପ୍ରଦେଶ ୧୧ ନଗର ନିଗମ ମଧ୍ୟରୁ ୭ ଆସନର ପଳାଫଳ ପ୍ରକାଶ ପାଇଛି । କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଗୋଟିଏ ଲେଖାଏଁ ଆସନରେ ଜିତିଥିବା ବେଳେ ବିଜେପି ୫ଟିରେ ବିଜୟୀ ହୋଇଛି । ଭୋପାଳ ଏବଂ ଇନ୍ଦୋରରେ ବିଜେପି ପ୍ରାର୍ଥୀ ବଡ଼ ବ୍ୟବଧାନ ସହ ଆଗରେ ରହିଛନ୍ତି । ଗ୍ୱାଲିୟର ଏବଂ ଜବଲପୁରରେ କଂଗ୍ରେସ ଆଗରେ ରହିଛି । କଂଗ୍ରେସ ନେତା କମଲନାଥଙ୍କ ଗଡ଼ ଛିନ୍ଦୱାଡାରେ କଂଗ୍ରେସ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଛି । ଗତଥର ବିଜେପି ଏଠି ନିର୍ବାଚନ ଜିତିଥିଲା । କଂଗ୍ରେସ ପ୍ରାର୍ଥୀ ବିକ୍ରମ ଅହାକେ ଚଳିତ ଥର ମେୟର ଭାବେ ନିର୍ବାଚିତ ହୋଇଛନ୍ତି  ।

ସେହିପରି ବୁରହାନପୁର ନଗର ନିଗମରେ ଅସାଦୁଦ୍ଦୀନ ଓୱେସୀଙ୍କ ଏଆଇଏମଆଇଏମ କଂଗ୍ରେସକୁ ଅଡୁଆରେ ପକାଇଛି । କଂଗ୍ରେସର ବିଜୟ ଆଶାକୁ ଭାଙ୍ଗି ଚୁରମାର କରିଦେଇଛି ଏଆଇଏମଆଇଏମ । ଭୋଟ ବିଭାଜନ ଯୋଗୁଁ ମାତ୍ର ଅଳ୍ପ ଭୋଟରେ କଂଗ୍ରେସ ନିର୍ବାଚନ ହାରିଛି । ଏଠାରେ ବିଜେପିର ମାଧୁରୀ ପଟେଲ ୫୪୨ ଭୋଟରେ ବିଜୟୀ ହୋଇଛନ୍ତି । ମାଧୁରୀ ପଟେଲଙ୍କୁ ୫୨୮୨୩ ଭୋଟ ମିଳିଛି, ଯେତବେଳେ କି କଂଗ୍ରେସ ପ୍ରାର୍ଥୀ ଶେହନାଜ ବାନେଙ୍କୁ ୫୨୨୮୧ ଭୋଟ ମିଳିଛି  । ସେହିପରି ଏଆଇଏମଆଇଏମ ପ୍ରାର୍ଥୀଙ୍କୁ ୧୦୩୨୨ ଭୋଟ ମିଳିଛି  । ନୋଟା ଖାତାରେ ୬୭୭ ଖଣ୍ଡ ଭୋଟ ଯାଇଛି ।