ବୋରୱେଲ ଟ୍ରାଜେଡି; ନାବାଳକ ତନ୍ମୟର ମୃତଦେହ ଉଦ୍ଧାର

ଭୋପାଳ: ଶେଷରେ ଜୀବନ ଯୁଦ୍ଧରେ ହାରିଗଲା ୬ ବର୍ଷର ନାବାଳକ ତନ୍ମୟ ।  ୮୪ ଘଣ୍ଟା ଧରି ଚାଲିଥିଲା ଅପରେସନ ତନ୍ମୟ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ବୋରଓ୍ବେଲରେ ଫସିଥିଲା ୬ ବର୍ଷର ତନ୍ମୟ । ଆଜି ସକାଳ ପ୍ରାୟ ୫ ଟା ୩୦ ସମୟରେ ଉଦ୍ଧାରକାରୀ ଦଳ ତନ୍ମୟକୁ ବାହାରକୁ ବାହାର କରିଥିଲେ । ଉଦ୍ଧାର ପରେ ଜଣାଯାଇଥିଲା ତନ୍ମୟ ମୃତ୍ୟୁବରଣ କରିଛି । ତନ୍ମୟର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

୪ଦିନ ହେବ ୪ଶହ ଫୁଟ ବୋରଓ୍ବେଲରେ ଫଶିଥିଲା କଅଁଳ ଜୀବନ । ପ୍ରାୟ ୫୩ ଫୁଟ ଭିତରେ ତନ୍ମୟ ଅଟକି ରହିଥିଲା । ୪ଦିନ ହେବ ଏନଡିଆରଏଫ୍ , ଏସଡିଆରଏଫ ପକ୍ଷରୁ ଲଗାତର ଭାବେ ରେସ୍କ୍ୟୁ ଅପରେସନ ଜାରି ରଖିଥିଲେ । ୪୪ ଫୁଟ୍ ରାମ୍ପ ଖନନର କାମ ଶେଷ ହୋଇଥିବା ବେଳେ ବଡ଼ ଚଟାଣ ପଡ଼ିବାରୁ ଖନନରେ ବାଧା ଉପୁଜିଥିଲା । ପାଇପ ଯୋଗେ ବୋରୱେଲର ମୁହଁପଟୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିଲା ।

ବୋରଓ୍ବେଲ ଭିତରେ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟିହେବା ଆଶଙ୍କା ରହିଥିଲା । ହେଲେ ଶେଷରେ ଉଦ୍ଧାରକାରୀ ଦଳ ତନ୍ମୟ ପାଖରେ ଆଜି ଭୋରରୁ ପହଞ୍ଚିଥିଲେ । ପ୍ରତି ମୁଭମେଣ୍ଟ ଉପରେ ଉଦ୍ଧାରକାରୀ ଟିମ୍ ନଜର ରଖିଥିଲା । ମାଣ୍ଡାଭି ଗାଁର ସୁନୀଲ ଦିୟାବର, ୬ ତାରିଖ ସନ୍ଧ୍ୟାରେ ୬ ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ । ଏହି ସମୟରେ ତନ୍ମୟ ବୋରୱେଲ ଗାତକୁ ଚାହୁଁଥିବା ବେଳ ଅଚାନକ୍ ଗାତରେ ପଡ଼ିଯାଇଥିଲେ । ସପ୍ତାହେ ପୂର୍ବରୁ ନିଜେ ସୁନୀଲ ଏହି ବୋରୱେଲ ଖୋଳିଥିଲେ ।

ବୋରୱେଲରେ ଜଳସ୍ତର କମିଯିବାରୁ ଲାଗିଥିବା ମିଟର ଖୋଲି ଘରକୁ ନେଇଯାଇଥିଲେ । ଆଉ ଖୋଲା ଥିବା ବୋରୱେଲରେ ପଡ଼ିଯାଇଥିଲେ ତନ୍ମୟ । ଏହାପରେ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ । ଉଦ୍ଧାରକାରୀ ଦଳ ଓ ଡାକ୍ତରୀ ଦଳ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ନିଜେ ମନିଟରିଂ କରୁଥିଲେ । ଡାକ୍ତରୀ ଦଳର ପରାମର୍ଶ କ୍ରମେ ପରିବାର ଲୋକେ ତନ୍ମୟ ସହ କଥା ହୋଇଥିଲେ ।

ହେଲେ ମଙ୍ଗଳବାର ରାତିରେ ଶେଷ ଥର ତନ୍ମୟ କଥା ହୋଇଥିଲା । ଏହାପରେ ସଜ୍ଞାହୀନ ହୋଇଯାଇଥିଲା । କୌଣସି ପ୍ରକାରର ମୁଭମେଣ୍ଟ ସିସିଟିଭିରେ ନଜର ଆସିନଥିଲା । ଅକ୍ସିଜେନ ଲଗାତାର ଦିଆଯାଉଥିଲା । ମୁଭମେଣ୍ଟ ନଥିବା କାରଣରୁ ଖାଦ୍ୟ ଓ ପାନୀୟ ସାମଗ୍ରୀ ମଧ୍ୟ ତା ପାଖକୁ ପଠାଯାଇ ପାରିନଥିଲା । ଏବଂ ପରିଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛି ତନ୍ମୟ । ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।