ମୁଖ୍ୟମନ୍ତ୍ରୀ ଭାବେ ନାମିତ ହେଉ ହେଉ ପୁରୁଣା ଭିଡିଓ ଭାଇରାଲ

ଭୋପାଳ: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇଥିବା ସନ୍ଦେହର ଅବସାନ ଘଟିଛି । ଡକ୍ଟର ମୋହନ ଯାଦବ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।ଯାଦବଙ୍କ ନାମ ଘୋଷଣା ସହିତ ଶିବରାଜ ସିଂ ଚୌହାନ ରାଜ ଭବନରେ ପହଞ୍ଚି ରାଜ୍ୟପାଳଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ଯାଦବଙ୍କ ନାମ ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷିତ ହେବା ସହିତ ତାଙ୍କର କିଛି ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ମଧ୍ଯରୁ ଗୋଟିଏ ମାତା ସୀତାଙ୍କୁ ନେଇ ସେ ଦେଇଥିବା ବୟାନ ସଂପର୍କିତ ହୋଇଥିବା ବେଳେ ଅନ୍ୟଟି ନିର୍ବାଚନ ପ୍ରଚାର କାଳର ଭିଡିଓ ।

ତିନି ତିନିଥର ବୟାନ ପାଇଁ ବିବାଦରେ ମୋହନ ଯାଦବ

ଉଜ୍ଜୟନୀ ଦକ୍ଷିଣ ବିଧାନସଭା ଆସନରୁ ବିଧାୟକ ମୋହନ ଯାଦବ ମଧ୍ୟପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ । ମୋହନ ଯାଦବ ତାଙ୍କ ବିବୃତ୍ତି ପାଇଁ ଅନେକ ଥର ଆଗରୁ ବିବାଦରେ ରହିଛନ୍ତି । ଅତୀତରେ ମୋହନ ଯାଦବ ମାତା ସୀତାଙ୍କ ବିଷୟରେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ। ଏହା ବ୍ୟତୀତ ବିଧାନସଭା ନିର୍ବାଚନ ସମୟରେ ଯାଦବଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ମଞ୍ଚରୁ ଅଶ୍ଳୀଳ ଭାଷା ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା।

ମାତା ସୀତାଙ୍କୁ ଜଣେ ଛାଡପତ୍ର ନେଇଥିବା ମହିଳାଙ୍କ ସହ ତୁଳନା କରିଥିଲେ

ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଏକ ବିବାଦୀୟ ବିବୃତ୍ତିର ଭିଡିଓ ସାମ୍ନାକୁ ଆସିଛି। ନାଗଦା ଖାଚରୋଦରେ କର ସେବକମାନଙ୍କର ସମ୍ମାନ ସମାରୋହରେ ମୋହନ ଯାଦବ ମାତା ସୀତାଙ୍କ ତୁଳନା ଛାଡପତ୍ର ନେଇଥିବା ମହିଳାଙ୍କ ସହିତ କରିଥିଲେ । ସେ କରସେବକଙ୍କ ସମାରୋହକୁ ସମ୍ବୋଧିତ କରି ପ୍ରଥମେ ଶ୍ରୀରାମଙ୍କ ଜୀବନ ବିଷୟରେ ଏବଂ ପରେ ମାତା ସୀତାଙ୍କ ଜୀବନ ବିଷୟରେ କହିଥିଲେ, । ମାତା ସୀତାଙ୍କ ଜୀବନ ଦୁଃଖକଷ୍ଟରେ ପରିପୂର୍ଣ୍ଣ ଥିଲା ବୋଲି ସେ କହିଥିଲେ। ଏହି ସମୟରେ ସେ ମାତା ସୀତାଙ୍କୁ ବିବାହ ବିଛେଦ ହୋଇଥିବା ମହିଳାଙ୍କ ସହ ତୁଳନା କରିଥିଲେ। ସେ କହିଥିଲେ ଯେ ଏତେ ସଙ୍କଟ ଏବଂ ଯନ୍ତ୍ରଣା ସତ୍ତ୍ୱେ ମାତା ସୀତା ସର୍ବଦା ଶ୍ରୀ ରାମଙ୍କ ପ୍ରତି ଭଲ ଚିନ୍ତାଧାରା ରଖୁଥିଲେ ଏବଂ ପିଲାମାନଙ୍କୁ ମଧ୍ୟ ଭଲରେ ପାଳନ କରିଥିଲେ । ମାତା ସୀତାଙ୍କର ସେହି ଜୀବନକୁ ଆଜିର ସମାଜରେ ବିବାହ ବିଛେଦ ପରେ ମହିଳାଙ୍କ ଜୀବନ ସହିତ ତୁଳନା କରାଯାଇପାରେ ବୋଲି ସେ କହିଥିଲେ । ତେବେ ତାଙ୍କର ଏଭଳି ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ କ୍ଷମା ମାଗିଥିଲେ ଓ ତାଙ୍କ ବୟାନକୁ ଭୁଲଭାବରେ ପରିବେଷଣ କରାଯାଉଛି ବୋଲି ସେ କହିଥିଲେ ।

ନିର୍ବାଚନ ସମୟର ବିବାଦୀୟ ଭିଡିଓ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ତାଙ୍କୁ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ଅଶ୍ଲୀଳ ଓ ଅଶୋଭନୀୟ ବାକ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା । ମୋହନ ଯାଦବ ରାଲିକୁ ସମ୍ବୋଧିତ କରିବାବେଳେ ଅତ୍ୟଧିକ କ୍ରୋଧିତ ହୋଇ କଂଗ୍ରେସ ପ୍ରାର୍ଥୀ ଚେତନ ଯାଦବଙ୍କ ପିତା ପ୍ରେମନାରାୟଣ ଯାଦବଙ୍କ ପାଇଁ ଅଶୋଭନୀୟ ଶବ୍ଦ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ମୋହନ ଯାଦବ ଏହା କହିବାର ଶୁଣାଯାଇଥିଲା ଯେ, କଂଗ୍ରେସର ନେତାମାନେ ଶୁଣିନିଅ ତୁମ ଔକାତ କ’ଣ..ଏବେ ତୁମ ଔକାତ କ’ଣ ଜଣା ପଡ଼ିବ ?