କୁନୋ ଜାତୀୟ ପାର୍କରେ ଚିତା ବାଘଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭୋପାଳ: କୁନୋ ଜାତୀୟ ପାର୍କରେ ଚିତାଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ମାଈ ଚିତା ଜ୍ବାଲା ଓ ତାର ଚାରିଟି ଛୁଆ ଉପରେ ଗ୍ରାମବାସୀଙ୍କ ଆକ୍ରମଣ ପରେ ଚିତାବଂଶ ବୃଦ୍ଧି ନେଇ ଚାଲିଥିବା ସରକାରୀ ଯୋଜନାକୁ ନେଇ ଚାଲେଞ୍ଜ ସୃଷ୍ଟି ହୋଇଛି । ମଧ୍ୟପ୍ରଦେଶର ତେଲିଆପୁରା ଗ୍ରାମରେ ଏକ ଗାଈକୁ ଚିତାମାନେ ଶିକାର କରିବା ପରେ ଗ୍ରାମବାସୀ ସେମାନଙ୍କୁ ଆକ୍ରମଣ କରିଥିଲେ । ବାଘ ଦଳଙ୍କ ଉପରକୁ ସେମାନେ ଟେକା ପଥର ଫୋପାଡିବା ସହ ଠେଙ୍ଗାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି ।
ଚିତାଙ୍କ ସୁରକ୍ଷା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯଦି ଚିତାର ସନ୍ଧାନ ମିଳେ ତେବେ ତୁରନ୍ତ ଜଙ୍ଗଲ ବିଭାଗକୁ ଖବର ଦେବା, ପିଲା ଓ ପୋଷା ପ୍ରାଣୀଙ୍କୁ ଘର ଭିତରେ ରଖିବା, ଚିତାଙ୍କୁ ଦେଖିବା ପରେ ଆତଙ୍କିତ ହୋଇ ସେମାନଙ୍କୁ ଆକ୍ରମଣ ନ କରିବା କରିବା ଲାଗି ପରାମର୍ଶ ଦିଆଯାଇଛି । ଯଦି ଚିତା ଆକ୍ରମଣରେ କୌଣସି ଗୃହପାଳିତ ପ୍ରାଣୀର ମୃତ୍ଯୁ ଘଟେ ତେବେ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଏହାସହ ରାତିରେ କ୍ଷେତକୁ ନଯିବା, ସଂଘବଦ୍ଧ ଭାବେ ଚିତାଙ୍କୁ ନ ଘଉଡାଇବା, ଜାଲ ବା ଯନ୍ତା ଜରିଆରେ ଚିତାଙ୍କୁ ଧରିବା ଲାଗି ଉଦ୍ଯମ ନ କରିବା, ସେମାନଙ୍କ ଫଟୋ ଓ ଭିଡିଓ ନ ଉଠାଇବା ଲାଗି ପରାମର୍ଶ ଦିଆଯାଇଛି ।
ପୂର୍ବରୁ କୁନୋ ପାର୍କରୁ ଚିତାମାନେ ଉତ୍ତରପ୍ରଦେଶ, ରାଜସ୍ଥାନ ଆଡକୁ ଚାଲିଯିବା ପରିଲକ୍ଷିତ ହୋଇଛି । ବର୍ତ୍ତମାନ କୁନୋ ପାର୍କରେ ୧୧ ଛୁଆଙ୍କ ସହ ମୋଟ ୧୭ଟି ଚିତା ଖୋଲାରେ ବୁଲୁଛନ୍ତି । ୯ଟି ଚିତାଙ୍କୁ ଏନକ୍ଲୋଜର ଭିତରେ ରଖାଯାଇଛି ।