ଦୁଷ୍କର୍ମ-ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ମିଳିଥିଲା, ନାବାଳକ ଜଣାପଡ଼ିବା ପରେ ମୁକ୍ତ କଲେ ସୁପ୍ରିମକୋର୍ଟ

ଭୋପାଳ: ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଚାରି ବର୍ଷର ଶିଶୁ ସହ ଦୁଷ୍କର୍ମ ଏବଂ ହତ୍ୟା ପାଇଁ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଯାଇଥିଲା । କିନ୍ତୁ ଏବେ ଜଣାପଡ଼ିଛି ଯେ ଯେ ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ନାବାଳକ ଅଟେ । ଘଟଣା ଘଟିବା ସମୟରେ ସେ ନାବାଳକ ଥିଲା ଏଥିପାଇଁ ସୁପ୍ରିମକୋର୍ଟ ତାର ଦଣ୍ଡକୁ ଖାରଜ କରିଛନ୍ତି । ଏଥିସହିତ ତାକୁ ମୁକ୍ତ କରିବା ପାଇଁ ଆଦେଶ ଦେଇଛନ୍ତି । ସୂଚନାଥାଉକି, ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଟ୍ରାଏଲ କୋର୍ଟ ଉକ୍ତ ଆସାମୀକୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଏହାପରେ ମଧ୍ୟପ୍ରଦେଶ ହାଇକୋର୍ଟ ଫାଶୀ ଦଣ୍ଡକୁ ବଳବତ୍ତର ରଖିଥିଲେ । ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

ସୁପ୍ରିମକୋର୍ଟରେ ଯେବେ ଅପିଲ ବିଚାରଧୀନ ଥିଲା ତେବେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ ଘଟଣା ସମୟରେ ସେ ନାବାଳକ ଥିଲା ଏବଂ ଏପରିସ୍ଥିତିରେ ତାକୁ ଜୁଭେନାଇଲ ଜଷ୍ଟିସ ଆକ୍ଟର ଲାଭ ମିଳିବା ଆବଶ୍ୟକ । ପ୍ରକାଶଥାଉକି, ଜେଜେ ଆକ୍ଟର ପ୍ରାବଧାନ ଆଧାରରେ ନାବାଳକ ଯଦି ଅପରାଧ ପାଇଁ ଦୋଷୀ ମିଳେ ତେବେ ଅଧିକରୁ ଅଧିକ ତାକୁ ତିନି ବର୍ଷ ପାଇଁ ବାଲ ସୁଧାର ଗୃହରେ ରଖାଯାଇ ପାରିବ । ଏହି କ୍ରମରେ ସୁପ୍ରିମକୋର୍ଟ ଶୁଣାଣି ସମୟରେ ଟ୍ରାଏଲ କୋର୍ଟଙ୍କୁ କହିଥିଲେ ଯେ ଜେଜେ ଆକ୍ଟ ଆଧାରରେ ଅଭିଯୁକ୍ତର ନାବାଳିକ ହେବାର ଦାବିକୁ ଯାଞ୍ଚ କରାଯାଉ ।

ଟ୍ରାଏଲ କୋର୍ଟ ପକ୍ଷରୁ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା । ଏଥିସହିତ କୁହାଯାଇଛି ଯେ ଅପରାଧୀର ଜନ୍ମ ୨୫ ଜୁଲାଇ ୨୦୦୨ରେ ହୋଇଥିଲା । ସେହିପରି ଘଟଣା ଦିନ ଅର୍ଥାତ ୧୫ ଡିସେମ୍ବର ୨୦୧୭ରେ ତାକୁ ୧୫ ବର୍ଷ ହୋଇଥିଲା । ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ଖଣ୍ଡପୀଠର ୧୫ ନଭେମ୍ବର ୨୦୧୮ର ଆଦେଶରେ ସଂଶୋଧନ କରିଛନ୍ତି । ଇନ୍ଦୋର ଖଣ୍ଡପୀଠ ନିଜ ଆଦେଶ ଜରିଆରେ ଯୁବକଙ୍କୁ ଦୋଷୀ ପାଇବା ପରେ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ହେଲେ ଏବେ ସେ ଘଟଣା ବେଳେ ନାବାଳକ ଥିବାର ଜଣାପଡ଼ିବା ପରେ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୧୫ ଡିସେମ୍ବର ୨୦୧୭ରେ ଚାରି ବର୍ଷର ଶିଶୁ ଧାର ଜିଲ୍ଲାରେ ନିଜ ଘର ବାହାରେ ସାଙ୍ଗମାନଙ୍କ ସହ ଖେଳିବା ସମୟରେ ନିଖୋଜ ହୋଇଯାଇଥିଲା । ଏହାପରେ ତାର ମାତା ପିତା ନିଖୋଜ ରିପୋର୍ଟ ଲେଖିଥିଲେ । ହେଲେ ଗୋଟେ ଦିନ ପରେ ଶିଶୁଟିର କ୍ଷତବିକ୍ଷତ ଶବ ତାର ଘରଠାରୁ କିଛି ମିଟର ଦୂରରେ ମିଳିଥିଲା । ପୋଲିସ କହିଥିଲା ଯେ ପଥରରେ ଛେଚି ତଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ତଦନ୍ତ କରି ଉକ୍ତ ଯୁବକଙ୍କୁ ଗିରଫ କରିଥିଲା । ୧୭ ମଇ ୨୦୧୮ରେ ନିମ୍ନ ଅଦାଲତ ତାକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟଦଣ୍ଡ ଶୁଣାଇଥିଲେ ।