ମଧ୍ୟପ୍ରଦେଶ ମହାନାଟକ : ଆସନ୍ତାକାଲି ଆସ୍ଥାଭୋଟ୍, ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ମଧ୍ୟପ୍ରେଦଶରେ ଗତ ୧୬ ଦିନ ଧରି ଚାଲିଥିବା ରାଜନୈତିକ ଡ୍ରାମା ଉପରେ ଆସନ୍ତାକାଲି ପୂର୍ଣ୍ଣଛେଦ ପଡିବ । ଶୁକ୍ରବାର ଦିନ ଲମ୍ବା ଶୁଣାଣି ପରେ ସୁପ୍ରିମକୋର୍ଟ ଶନିବର ଦିନ ଆସ୍ଥାଭୋଟ୍ କରିବାକୁ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଏନପି ପ୍ରଜାପତିଙ୍କୁ ଆଦେଶ ଦେଇଛନ୍ତି । ଆସ୍ଥାଭୋଟ ପ୍ରକ୍ରିୟାକୁ ଆସନ୍ତାକାଲି ସଂଧ୍ୟା ୫ଟା ସୁଧା ସାରିବାକୁ ସର୍ବୋଚ୍ଚ ଅଦାଲାତ କହିଛନ୍ତି । ଏହାସହ ପୁରା ପ୍ରକ୍ରିୟାର ଲାଇଭ୍ ଷ୍ଟ୍ରିମିଂ ଓ ଭିଡିଓ ରେକର୍ଡିଂ ପାଇଁ ମଧ୍ୟ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ବେଂଚ୍ ଆଦେଶ ଦେଇଛନ୍ତି । ଭୋଟରେ ସାମିଲ ହେବାକୁ ଚାହୁଁଥିବା ବିଦ୍ରୋହୀ ବିଧାୟକଙ୍କୁ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ପୋଲିସ ସୁରକ୍ଷା ଯୋଗାଇ ଦେବେ ବୋଲି କୋର୍ଟ କହିଛନ୍ତି । ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାନସଭାର ଏକମାତ୍ର ଏଜେଣ୍ଡା ସଂଖ୍ୟାଗରିଷ୍ଠତାର ପ୍ରମାଣ ହାସଲ କରିବା । ତେଣୁ ବିଧାୟକ ମାନେ ହାତ ଉଠାଇ ନିଜ ସମର୍ଥନ ଦେବେ ।  ଏହାପୂର୍ବରୁ ବିଜେପିର ଆବେଦନ ଉପରେ ସୁପ୍ରିମକୋର୍ଟରେ ଲମ୍ବା ଶୁଣାଣି ଚାଲିଥିଲା ।

ସୁପ୍ରିମକୋର୍ଟଙ୍କ ଏହି ଆଦେଶ କମଲନାଥ ସରକାରଙ୍କୁ ଝଟକା ବୋଲି କୁହାଯାଉଛି । କାରଣ କମଲନାଥ ଫ୍ଲୋର ଟେଷ୍ଟକୁ ବିରୋଧ କରି ଆସୁଥିଲେ । ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାକୁ ନ୍ୟାୟର ବିଜୟ ବୋଲି କହିଛନ୍ତି । କମଲନାଥ ସରକାର ଉପରେ ଲୋକଙ୍କ ନିଶ୍ୱାସ ପଡିଛି ବୋଲି ସେ କହିଛନ୍ତି ।

 

Leave a Reply