ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୮ ଜୀବନ, ଜଳିଗଲେ ୭୪ ଜଣ

ହରଦା: ମଧ୍ୟ ପ୍ରଦେଶର ହରଦା ଜିଲ୍ଲା ବୈରାଗଡ଼ ଗାଁରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୪ ଜଣ ନିଆଁରେ ଜଳି ଯାଇଛନ୍ତି । ଗୁରୁତର ୧୧ ଜଣଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୬୩ ଜଣଙ୍କ ଚିକିତ୍ସା ଜିଲ୍ଲା ହସ୍ପିଟାଲରେ ଚାଲିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ନିମିଷକ ମଧ୍ୟରେ ପୂରା ଅଞ୍ଚଳକୁ ପୋଡ଼ି ପାଉଁଶ କରି ଦେଇଥିଲା । ଏପରିକି କାରଖାନା ପାଖରେ ଥିବା ୫୦ରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ସ୍ଥଳରେ ଏବେ ବି ବହୁ ଲୋକ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।

ବିସ୍ଫୋରଣ ପରର ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ଅଗ୍ନିଶମବାହିନୀ ସହ ସଡିଆରଏଫର ଏକାଧିକ ଟିମ ଲାଗିଛନ୍ତି । ଏସଡିଆରଏଫ ପକ୍ଷରୁ ମଧ୍ୟ ଉଦ୍ଧାରକାର୍ଯ୍ୟ କରାଯାଉଛି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବୈଠକ ଡାକିଥିବା ବେଳେ ଭୋପାଲ ଏମ୍ସକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ କାରଖାନା ଥିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କିଏ ଓ କେମିତି ଏହି କାରଖାନା ନିର୍ମାଣ କରିଛି ଏବଂ ଏଥିପାଇଁ କାହା ପାଖରୁ ଅନୁମତି ଅଣାଯାଇଛି ତାହାର ତଦନ୍ତ ଆରମ୍ଭ ହୋଇସାରିଛି । ହରଦାକୁ ଲାଗିଥିବା ଅନ୍ୟ ଜିଲ୍ଲାରୁ ଅଗ୍ନିଶମ ଗାଡି ଆସି ନିଆଁ ଲିଭା କାମରେ ଲାଗିଛନ୍ତି । ଘଟଣା ସ୍ଥଳରେ ୫୦ରୁ ଅଧିକ ଆମ୍ବୁଲାନ୍ସକୁ ପ୍ରସ୍ତୁତ କରି ରଖାଯାଇଛି ।

ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୃତକଙ୍କ ପିଲାଙ୍କ ପାଠପଢ଼ଶ ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହ ଆହତଙ୍କ ଚିକିତ୍ସା ମାଗଣାରେ କରାଯିବାକୁ କହିଛନ୍ତି ।