ଆଜିଠୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ସରକାର, ଶପଥ ନେବେ ଦୁଇ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ସରକାର। ମୋହନ ଯାଦବ ମଧ୍ୟପ୍ରଦେଶ ଓ ବିଷ୍ଣୁଦେବ ସାଏ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଛତିଶଗଡ଼ର ରାଇପୁରରେ ଅପରାହ୍ମ ଦୁଇଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ ନେବା ସୂଚନା ମିଳିଛି।

ବିଷ୍ଣୁଦେବ ସାଏ ଛତିଶଗଡ଼ର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ। ୧୯୯୦ରୁ ୧୯୯୮ ଯାଏ ଥିଲେ ମଧ୍ୟପ୍ରଦେଶରୁ ବିଧାୟକ । ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ରାଇଗଡ ଆସନରୁ ଲୋକସଭାକୁ ହୋଇଥିଲେ ନିର୍ବାଚିତ । ୨୦୧୪ରୁ ୨୦୧୯ ମଧ୍ୟରେ ସେ ହୋଇଥିଲେ କେନ୍ଦ୍ର ଖଣି, ଇସ୍ପାତ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ । ୨୦୦୬ ଓ ୨୦୨୦ରେ ସେ ଥିଲେ ଛତିଶଗଡ ବିଜେପି ମୁଖ୍ୟ।

ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ କୁନକୁରି ଆସନରୁ ବିଜୟୀ ହୋଇଛନ୍ତି । ସେହିପରି ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ଶପଥ ନେବେ ମୋହନ ଯାଦବ । ମୋହନଙ୍କ ସହିତ ୧୨ ଜଣ ମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ମୋହନ ଯାଦବ ଲଗାତର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଶିବରାଜ ସିଂ ଚୌହ୍ବାନଙ୍କ ସରକାରରେ ଥିଲେ ସେ ଉଚ୍ଚ ଶିକ୍ଷାମନ୍ତ୍ରୀ । ଜଗଦୀଶ ଦେଓଡା ଏବଂ ରାଜେଶ ଶୁକ୍ଲା ଉପମୁଖମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବରେ ବିଜେପିର ବରିଷ୍ଠ ନେତାମାନେ ସାମିଲ ହେବେ ।