ପିଲାଙ୍କୁ ସହଜରେ ପାଠ ବୁଝାଇବା ଓ ବିଭିନ୍ନ ପ୍ରଶ୍ନର ଅଭ୍ୟାସ ପାଇଁ ଆପଣଙ୍କୁ ଡାଉନଲୋଡ୍ କରିବାକୁ ହେବ ଏହି ଆପ୍

ଭୁବନେଶ୍ୱର : ସ୍କୁଲରେ ଯଦି ଆପଣଙ୍କ ପିଲା ପାଠ ବୁଝିପାରୁନାହିଁ ତେବେ ଆଉ ଚିନ୍ତା କରିବାର ନାହିଁ । ଏ ନେଇ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଘରେ ବସି ମଧ୍ୟ ସ୍କୁଲ ପାଠର ଅଭ୍ୟାସ କରିହେବ ଏବଂ ଅବୁଝା ପାଠକୁ ସହଜରେ ବୁଝିହେବ । ଏଥିପାଇଁ କେବଳ ଆପଣଙ୍କୁ ଗୋଟିଏ ଆପ୍ ଡାଉନଲୋଡ୍ କରିବାକୁ ହେବ ।

ପିଲାଙ୍କୁ ସହଜରେ ପାଠ ବୁଝାଇବା ଓ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ‘ମଧୁ ଆପ୍’ । ଛାତ୍ରଛାତ୍ରୀମାନେ ‘ମଧୁ ଆପ୍’କୁ ମୋବାଇଲ୍ ଫୋନରେ ଡାଇନଲୋଡ୍ କରି ସେଥିରୁ ଭିଡିଓ ଦ୍ୱାରା ଶ୍ରେଣୀରେ ପଢ଼ାଯାଇଥିବା ପାଠ ବୁଝିପାରିବେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ନୂଆ ‘ମଧୁ ଆପ୍’କୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ।

ଏହି ଅବସରରେ ଆୟୋଜିତ ଭିଡିଓ କନଫେରେନ୍ସିଂ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକର ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ‘ମଧୁ ଆପ୍’ ସଂପର୍କରେ କଥାବାର୍ତ୍ତା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ । ତେଣୁ ଭଲ ପାଠ ପଢ଼ି ଦେଶର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଆ ଜାତି ପାଇଁ ଉତ୍କଳ ଗୌରବଙ୍କ ତ୍ୟାଗ ବିଷୟରେ ଆଲୋଚନା କରି, ମଧୁ ବାବୁ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ସ୍କୁଲ ଓ ଗଣଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply