ଦେଶ ପାଇଁ ଗୋଲ୍ଡ ମେଡାଲ ଆଣିଲେ ଆର.ମାଧବନଙ୍କ ପୁଅ, ବିପାଶା କହିଲେ…

ନୂଆଦିଲ୍ଲୀ: ସୁପରଷ୍ଟାର ଆର ମାଧବନଙ୍କ ପୁଅ ବେଦାନ୍ତ ମାଧବନ କୋପେନହେଗନରେ କମାଲ କରି ଦେଖାଇଛନ୍ତି । ଡେନିସ ଓପନରେ  ପୁରୁଷଙ୍କ ୮ ଶହ ମିଟର ଫ୍ରିଷ୍ଟାଇଲ ସ୍ୱିମିଂ ପ୍ରତିଯୋଗିତାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି  ବେଦାନ୍ତ।  ସେ ଆଲେକଜାଣ୍ଡର  ଏଲ ବୋର୍ନଙ୍କୁ ୦.୧୦ ସେକେଣ୍ଡ ବ୍ୟବଧାନରେ ହରାଇଛନ୍ତି ।

ହୋଇପାରେ ବେଦାନ୍ତ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି, କିନ୍ତୁ ତାଙ୍କୁ ଏବେ ମଧ୍ୟ କଠିନ ପରିଶ୍ରମ କରିବା ବାକି ଅଛି । ତେବେ ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ନିଜକୁ ସୁଧାରିବାରେ ଲାଗିଛନ୍ତି ବେଦାନ୍ତ । ଧୀରେଧୀରେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି ।  ଏହା ପୂର୍ବରୁ ୧୫ ଶହ ମିଟର ଫ୍ରିଷ୍ଟାଇଲରେ ରୌପ୍ୟ ପଦକ ଜିତିଥିଲେ  ।

ପୁଅର ସଫଳତାରେ ଖୁସି ପ୍ରକାଶ କରିଛନ୍ତି ମାଧବନ୍‌ । ସେ ଏହି ସୂଚନା ସୋସିଅଲ ମିଡିଆ ଆକାଉଣ୍ଟରେ ଦେଇଛନ୍ତି । ବେଦାନ୍ତଙ୍କ ଏହି ସଫଳତା ପଛରେ ହାତ ଥିବା ସମସ୍ତଙ୍କୁ ସେ ହୃଦୟରୁ ଧନ୍ୟବାଦ ଦେଇଛନ୍ତି ।

ତେବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଉଭୟ ମାଧବନ୍‌ ଏବଂ ତାଙ୍କ ପୁଅଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।  ସେଲିବ୍ରିଟିଙ୍କ ମଧ୍ୟରେ ପ୍ରଥମେ ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ ବ୍ଲାକ୍‌ ବିୟୁଟି ବିପାଶା ବସୁ । ସେ ଲେଖିଛନ୍ତି ବେଦାନ୍ତ ପାଇଁ ଖୁବ୍‌ ଗର୍ବିତ, ଭଗବାନ୍‌ ଆଶୀର୍ବାଦ ଦିଅନ୍ତୁ  ଏବଂ ଅଧିକ ଶକ୍ତିଶାଳୀ କରନ୍ତୁ ।