ରାଜନୀତିରେ KHAM ଥିଓରୀ ପ୍ରବର୍ତ୍ତକ ମାଧବ ସିଂହ ସୋଲାଙ୍କିଙ୍କ ନିଧନ,୪ ଥର ଥିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ
1 min readଅହମ୍ମଦାବାଦ: ଗୁଜୁରାଟ ରାଜନୀତିରେ ଖାମ୍ ଥିଓରୀ ପ୍ରଣେତା ମାଧବ ସିଂହ ସୋଲାଙ୍କିଙ୍କ ୯୩ ବର୍ଷ ବୟସରେ ନିଧନ ହୋଇଛି । ସେ ଚାରି ଥର ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ । ପିଭି ନରସିଂହ ରାଓଙ୍କ ସରକାରରେ ସେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଗୁଜୁରାଟ ରାଜନୀତିରେ ତାଙ୍କୁ କ୍ଷତ୍ରୀୟ,ହରିଜନ ଆଦିବାସୀ ଓ ମୁସଲିମ ଭୋଟ ବ୍ୟାଙ୍କ ତିଆରି କରିବାର ଶ୍ରେୟ ଦିଆଯାଇଥାଏ । କ୍ଷତ୍ରୀୟ,ହରିଜନ ଆଦିବାସୀ ଓ ମୁସଲିମ(ଖାମ୍) ଭୋଟକୁ ନେଇ ସୋଲାଙ୍କି ଯେଉଁ ସମୀକରଣ ତିଆରି କରିଥିଲେ ତାହା କଂଗ୍ରେସକୁ ଏକଦା ଗୁଜୁରାଟରେ ନମ୍ବର ଏକ ଶକ୍ତି କରିଥିଲା । ୧୯୮୦ ଦଶକରେ ସୋଲାଙ୍କି ଏହି ୪ ବର୍ଗର ସମର୍ଥନରେ ବହୁମତ ପାଇ କ୍ଷମତାକୁ ଆସିଥିଲେ ।
ତେବେ ସୋଲାଙ୍କିଙ୍କ ଏହି ନୀତି କାରଣରୁ ଗୁଜୁରାଟ ରାଜନୀତିରେ ପ୍ରଭାବ ରଖୁଥିବା ପଟେଲ ଭୋଟ ବ୍ୟାଙ୍କ କଂଗ୍ରେସଠାରୁ ଅଲଗା ହୋଇଯାଇଥିଲେ ।ଯାହା ପରେ ବିଜେପିକୁ ଫାଇଦା ପହଂଚାଇଥିଲା । ପେଶାରେ ଓକିଲ ସୋଲାଙ୍କି କୋଲି ସମ୍ପ୍ରଦାୟରୁ ଆସିଥିଲେ । ପ୍ରଥମ ଥର ପାଇଁ ସେ ୧୯୭୭ ମସିହାରେ ଗୁଜୁରାଟ ବିଧାନସଭାକୁ ପ୍ରବେଶ କରିଥିଲେ । ୧୯୮୦ ମସିହାରେ ସୋଲାଙ୍କିଙ୍କ ଖାମ୍ ଚାଲ ଦ୍ୱାରା କଂଗ୍ରେସ ବିଧାନସଭାର ୧୮୨ ଆସନରୁ ୧୪୧ ସିଟ୍ ଜିତି ପାରିଥିଲା । ସେତେବେଳେ ବିଜେପିକୁ ମାତ୍ର ୯ ଆସନ ମିଳିଥିଲା ।
୧୯୨୭ ଜୁଲାଇ ୩୦ତାରିଖରେ ସୋଲାଙ୍କିଙ୍କ ଜନ୍ମ ତତ୍କାଳୀନ ବରୋଦା ଷ୍ଟେଟର ପିଲୁଦରାରେ ହୋଇଥିଲା । ତାଙ୍କର ତିନି ପୁଅ ଅଛନ୍ତି । ପୁଅଙ୍କ ମଧ୍ୟରୁ ଭରତ ସୋଲାଙ୍କି ଗୁଜୁରାଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୟୁପିଏ ୨ରେ କେନ୍ଦ୍ର ମନ୍ତ୍ରୀ ଥିଲେ ।
Shri Madhavsinh Solanki Ji was a formidable leader, playing a key role in Gujarat politics for decades. He will be remembered for his rich service to society. Saddened by his demise. Spoke to his son, Bharat Solanki Ji and expressed condolences. Om Shanti.
— Narendra Modi (@narendramodi) January 9, 2021
ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଲାଙ୍କି ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,ମାଧବ ସିଂହ ସୋଲାଙ୍କି ଅଜେୟ ନେତା ଥିଲେ । ଅନେକ ଦଶକ ପର୍ଯ୍ୟନ୍ତ ସେ ଗୁଜୁରାଟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସମାଜକୁ ମଜବୁତ କରିବା ଦିଗରେ ତାଙ୍କ ଯୋଗଦାନକୁ ସବୁବେଳେ ମନେ ରଖାଯିବ । ତାଙ୍କ ପୁଅ ଭରତ ସିଂହ ସୋଲାଙ୍କି ସହ କଥା ହୋଇଥିଲେ । ପୁରା ପରିବାର ପ୍ରତି ମୋ ସମବେଦନା ବ୍ୟକ୍ତ କରୁଛି ।
ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ସୋଲାଙ୍କିଙ୍କୁ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ।