କେନ୍ଦ୍ର ସାହିତ୍ୟ ଏକାଡେମୀର ନୂଆ ସଭାପତି ଭାବେ ମାଧବ କୌଶିକ ନିର୍ବାଚିତ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସାହିତ୍ୟ ଏକାଡେମୀର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମାଧବ କୌଶିକ । ସେ ହିନ୍ଦୀ ସାହିତ୍ୟରେ କବି ଭାବେ ବେଶ ପରିଚିତ । ୧୯୫୪ ମସିହା ନଭେମ୍ବର ୧ ତାରିଖରେ ହରିଆଣାର ଭିଓ୍ବାନି ସହରରେ ମାଧବ ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୀ କବିତା, ଗଳ୍ପ, ଯୁବ ସାହିତ୍ୟ, ଗଜଲ୍ ଆଦି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଛନ୍ତି ।

ଅଧ୍ୟକ୍ଷ ପଦ ପାଇଁ କୌଶିକଙ୍କ ସହ ପ୍ରସିଦ୍ଧ ମରାଠି ଲେଖକ ରଙ୍ଗନାଥ ପଠାରେ ଏବଂ କନ୍ନଡ ସାହିତ୍ୟକାର ମଲ୍ଲପୁରମ୍ ଭେ ନିର୍ବାଚନ ଲଢିଥିଲେ । ଏହା ସହିତ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି କୁମୁଦ ଶର୍ମା । ସେ ବର୍ତ୍ତମାନ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ହିନ୍ଦୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଏବଂ ଉପସଭାପତି ପଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ୯୭ ଜଣ ସଦସ୍ୟ ମତଦାନ କରିଥିଲେ ।