ମାତ୍ର ଗୋଟିଏ ଛକା, ସ୍କୋର୍‌ ଅପରାଜିତ ୩୩୫…ଏଭଳି ରେକର୍ଡ କରିଛନ୍ତି ଡେଭିଡ ୱାର୍ନର ।

୪୧୮ ବଲ୍‌ରେ ଅପରାଜିତ ୩୩୫ ରନ୍‌ । ଟେଷ୍ଟରେ ଜୀବନର ସବୁଠୁ ସ୍ମରଣୀୟ ଇନିଂସ ଖେଳିଛନ୍ତି ଅଷ୍ଟ୍ରେଲିଆର ବାମହାତି ବ୍ୟାଟ୍ସମ୍ୟାନ ଡେଭିଡ୍‌ ୱାର୍ନର । ତାଙ୍କର ଏହି ମାରାଥନ୍‌ ଇନିଂସ କିମ୍ବଦନ୍ତି ଆଷ୍ଟ୍ରେଲିଆ କ୍ରିକେଟର ଡନ୍‌ ବ୍ରାଡମ୍ୟାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛି । ଆଡିଲେଡ୍‌ରେ ପାକିସ୍ତାନ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଏଭଳି ଏକ ଇନିଂସ ଖେଳି ଏକାଧିକ କୀର୍ତ୍ତିମାନ  ପ୍ରତିଷ୍ଠା କରିଛନ୍ତି ୱାର୍ନର ।

ଡେଭିଡ୍‌ ୱାର୍ନରଙ୍କ ୩୩୫ ରନ୍‌ର ଇନିଂସ ବ୍ରାଡମ୍ୟାନ, ମାର୍କ ଟେଲର ଓ ଆଝାର ଅଲ୍ଲିଙ୍କ ରେକର୍ଡକୁ ଭଙ୍ଗ କରିଛି । ବ୍ରାଡମ୍ୟାନ ଟେଷ୍ଟରେ ୩୩୪ ରନର ଇନିଂସ ଖେଳିଥିବା ବେଳେ ମାର୍କ ଟେଲର ୩୩୪ ରନ୍‌ର ଅପରାଜିତ ରହିଥିଲେ । ବ୍ରାଡମ୍ୟାନଙ୍କୁ ସମ୍ମାନ ଜଣାଇ ସେ ୩୩୪ ରନ୍‌ ସ୍କୋର୍‌ କରିଥିବା ବେଳେ ପାଳି ଘୋଷଣା କରିଥିଲେ । ମାତ୍ର ଦିବାରାତ୍ର ଟେଷ୍ଟରେ ସବୋର୍ଚ୍ଚ ବ୍ୟକ୍ତିଗତ ସ୍କୋର୍‌ କରିଥିବା ପାକ୍‌ କ୍ରିକେଟର ଆଝାର ଅଲ୍ଲିଙ୍କ ୩୦୨ ରନ୍‌କୁ ମଧ୍ୟ ପଛରେ ପକାଇଛନ୍ତି ଏହି ବାମବାତୀ ବ୍ୟାଟ୍ସମ୍ୟାନ ।

ୱାର୍ନରଙ୍କ ଏହି ରେକର୍ଡ କ୍ୟାରିୟରର ସବୋର୍ଚ୍ଚ ବ୍ୟକ୍ତିଗତ ସ୍କୋର୍‌ । ଦିବାରାତ୍ର ଟେଷ୍ଟରେ ମଧ୍ୟ ସର୍ବାଧିକ । ପ୍ରଥମ ଦିବାରାତ୍ର ଟେଷ୍ଟ ତ୍ରିଶତକ ହାସଲ କରିଥିଲେ ଆଝାର ଅଲ୍ଲି । ତୃତୀୟ ଥର ପାଇଁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଭାବେ ୨୫୦ ରନ୍‌ ଅତିକ୍ରମ କରିଥିଲେ । ଦ୍ରୁତତମ ତ୍ରିଶତକ ହାସଲରେ ୱାର୍ନର ବିଶ୍ୱରେ ଚତୁର୍ଥ । ୨୭୮ ବଲ୍‌ରୁ ତ୍ରିଶତକ ହାସଲ କରି ସେହବାଗ ପ୍ରଥମରେ ଥିବା ବେଳେ ମାଥ୍ୟୁ ହେଡେନ ୩୬୨ ବଲ୍‌ ଓ ପୁଣି ସେହେବାଗ ୩୬୪ ବଲରୁ ତ୍ରିଶତକ ହାସଲ କରି ତୃତୀୟ ସ୍ଥାନରେ ଅଛନ୍ତି ।

ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲରେ ୱାର୍ନର ସପ୍ତମ ଅଷ୍ଟ୍ରେଲିଆନ୍‌ ବ୍ୟାଟ୍ସମ୍ୟାନ । ସେହିପରି ପାକିସ୍ତାନ ବିପକ୍ଷରେ ତ୍ରିଶତକ ହାସଲରେ ୱାର୍ନର ବିଶ୍ୱରେ ଚତୁର୍ଥ । ଶେଷଥର ପାଇଁ ୨୦୦୪ ମୁଲତାନ ଟେଷ୍ଟରେ ବୀରେନ୍ଦ୍ର ସେହବାଗ ପାକିସ୍ତାନ ବିରୋଧରେ ତ୍ରିଶତକ ହାସଲ କରିଥିଲେ । ଟେଷ୍ଟରେ ମୋଟ ୩୧ଟି ତ୍ରିଶତକ ନଜରକୁ ଆସିଥିବା ବେଳେ ୱାର୍ନରଙ୍କ ୮୦.୧୪ ଷ୍ଟ୍ରାଇକ ରେଟ୍‌ ଚତୁର୍ଥ ସବୋର୍ଚ୍ଚ । ଭାରତ ପକ୍ଷରୁ କରୁଣ ନାୟାର ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଶେଷ ଥର ପାଇଁ (୩୦୩) ତ୍ରିଶତକ ହାସଲ କରିଥିଲେ ।
ସବୁଠୁ ବଡ଼ କଥା ହେଲା ଏତେବଡ଼ ଇନିଂସ ଖେଳି ଏକାଧିକ ରେକର୍ଡ କରିଥିବା ୱାର୍ନର ୩୩୫ ରନ୍‌ରେ ମାତ୍ର ଗୋଟିଏ ଛକା ଓ ୩୯ ଚୌକା ମାରିଥିଲେ ।

Leave a Reply