ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

ଭୁବନେଶ୍ବର: ପଦ୍ମକେଶରୀପୁର ଖଣ୍ଡଯୁଦ୍ଧ ଘଟଣାରେ ୭୭ ଜଣଙ୍କୁ ବାନ୍ଧିଲା ପୋଲିସ । ଉଭୟ ପକ୍ଷରୁ ୭୭ ଜଣ ପୁରୁଷଙ୍କୁ ଗିରଫ କରିଛି ମଞ୍ଚେଶ୍ବର ପୋଲିସ । ଗିରଫଦାରୀ ସଂଖ୍ୟା ଆହୁରି ବଢିବ ବୋଲି ଡିସିପି କହୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଗିରଫଦାରୀ ଭୟରେ ଗାଁ ଏକପ୍ରକାର ପୁରୁଷଶୂନ୍ୟ ହୋଇଛି ।

ଆକ୍ସନ ମୋଡରେ ଟିମ୍ ପ୍ରତୀକ । ୭୭ ଦଙ୍ଗାକାରୀଙ୍କ ବାନ୍ଧିଲା ପୋଲିସ୍ । ପଦ୍ମକେଶରୀପୁର ଖଣ୍ଡଯୁଦ୍ଧ ପରେ ଗାଁ ପୁରୁଷଶୁନ୍ୟ । ଏବେ ବି ବଳବତ୍ତର ରହିଛି ୧୪୪ ଧାରା । ଆଇନକୁ ହାତକୁ ନେଉଥିଲେ, ଏବେ  ପୋଲିସ ଜାଲରେ ଫଶିଲେ । ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ କଡା ନିର୍ଦ୍ଦେଶ ପରେ ଗତ ଗୁରୁବାର ମଧ୍ୟରାତିରେ ପଦ୍ମକେଶରପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୭୭ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ । ଆହୁରି ଗିରଫଦାରୀ ବଢିବ ବୋଲି ଶୁଣିବା ପରେ ପୁରା ଗାଁ ଏବେ ପୁରୁଷ ଶୁନ୍ୟ ହୋଇଯାଇଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଲଗାଇଛି ସଙ୍ଗୀନ ଦଫା । 147, 148, 323, 324, 336, 337, 427, 307, 506, 149 , 34 ଦଫା ରେ ୭୭ ଜଣଙ୍କୁ କୋର୍ଟଚାଲାଣ କରିଛି ପୋଲିସ ।

ପଞ୍ଚାୟତ ନିର୍ବାଚନ ଓ କମେଣ୍ଟମରାକୁ କେନ୍ଦ୍ରକରି ଗତ ସେପ୍ଟେମ୍ବର ୧ ତାରିଖରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଘଟଣାରେ ୧୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ । ତେବେ ଘଟଣାରେ ମଞ୍ଚେଶ୍ବର ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଘଟଣାଦିନ ଗାଁ ରେ ନଥିବା କିଛି ନିରୀହ ଲୋକଙ୍କୁ ପୋଲିସ ବଳ ପୂର୍ବକ ଗିରଫ କରିଛି । ଅପରାଧୀ ଫେରାର ଥିବା ବେଳେ ନିରୀହ ଅପାଠୁଆ ଲୋକେ ବଳି ପଡିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।