ଧୁମଧାମରେ ଚାଲିଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା, କାଲି ଯୋଗଦେବେ ମୁଖ୍ୟମନ୍ତ୍ରୀ

1 min read
Maa Taratarini Temple Foundation Ceremony

ବ୍ରହ୍ମପୁର: ଧୁମଧାମରେ ଚାଲିଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଆଜି ମୁଖ୍ୟ ଶାସନ ସଚିବ, 5T ସଚିବ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା, ବିଭିନ୍ନ ଗଣମାଧ୍ୟମ ସମ୍ପାଦକ ପୀଠ ପରିଦର୍ଶନ କରିଛିନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପହଞ୍ଚିଛନ୍ତି । କାଲି ଯଜ୍ଞର ପୂର୍ଣ୍ଣାହୁତି ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହେବ । କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Maa Taratarini Temple Foundation Ceremony

ଭାରତର ଅନ୍ୟତମ ଶକ୍ତିପୀଠ ଗଞ୍ଜାମର ତାରାତାରିଣୀ ପୀଠ । ରୂପାନ୍ତରଣ ପରେ ଏହା ଅପୂର୍ବ ଶୋଭା ମଣ୍ଡନ କରିଛି । ଭବ୍ୟ ପ୍ରତିଷ୍ଠା ଉତ୍ସବର ଆକର୍ଷଣରେ ଟାଣି ହୋଇ ଆସୁଛନ୍ତି ହଜାର ହଜାର ଭକ୍ତ । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ପ୍ରମୁଖ ମା’ଙ୍କ ଦର୍ଶନ କରିବା ସହ ପ୍ରତିଷ୍ଠା ଉତ୍ସବ ଓ ପୂଜାବିଧି ନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯଜ୍ଞର କର୍ତ୍ତା ହେବା ସହ ସବୁ କାମ ତଦାରଖ କରୁଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୀଠରେ ପହଞ୍ଚି ମହାଯଜ୍ଞରେ ଯୋଗ ଦେଇଛନ୍ତି ।

Maa Taratarini Temple Foundation Ceremony

ରାଜ୍ୟର ବିଭିନ୍ନ ଗଣାଧ୍ୟମଣର ସମ୍ପାଦକମାନେ ଆଜି ପୀଠରେ ମାଆଙ୍କୁ ଦର୍ଶନ କରିଛନ୍ତି । ଆୟୋଜକମାନେ ସେମାନଙ୍କୁ ସ୍ୱାଗତ କରିବା ସହ ନବନିର୍ମିତ ମନ୍ଦିର ବୁଲାଇ ଦେଖାଇ ଥିଲେ । ଏଭଳି ଏକ ପରିବେଶକୁ ଆସିବାର ସୁଯୋଗ ମିଳିଥିବାରୁ ଗଣମାଧ୍ୟମ ସମ୍ପାଦକମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିବ ।