ବାପଘରେ ମାଆ ବୁଢୀ ଠାକୁରାଣୀ, ଝୋଟି ପକାଇ ମାଆଙ୍କୁ ସ୍ବାଗତ କଲେ ଭକ୍ତ

ବ୍ରହ୍ମପୁର: ବାପଘରେ ମାଆ ବୁଢ଼ୀ ଠାକୁରାଣୀ । ବାପା ଦେଶିବେହେରାଙ୍କ ନିମନ୍ତ୍ରଣ ରକ୍ଷା କରି ମଧ୍ୟରାତ୍ରୀରେ ଆସିଛନ୍ତି ମାଆ । ଅସ୍ଥାୟୀ ମଣ୍ଡପରେ ସ୍ବତନ୍ତ୍ର ବିଧିରେ ଚାଲିଛି ସାଆନ୍ତାଣୀଙ୍କ ପୂଜାର୍ଚ୍ଚନା । ଶଙ୍ଖ, ଚାଙ୍ଗୁ, ଢୋଲ ବାଜାରେ ଉତ୍ସବମୁଖର ହୋଇଛି ବ୍ରହ୍ମପୁର । ଗତକାଲି ରାତିରେ ଚଣ୍ଡିପାଠ, ଦିଗବନ୍ଦନ, ଆଳତି, ମନ୍ତ୍ରଣା ପରେ ହୋଇଥିଲା ଆଜ୍ଞାମାଳ ବିଜେ । ଅସ୍ଥାୟୀ ପୀଠରେ ମା’ଙ୍କ ଆଜ୍ଞାମାଳ ସ୍ଥାପନ ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ମାଆଙ୍କ ବାପଘର ଦେଶିବେହେରାଙ୍କ ସାହିରେ ରୀତିନୀତି ଅନୁଯାଇ ପରମ୍ପରା ପାଳନ କରାଯାଉଛି । ପଟୁଆରରେ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ । ଦେଶିବେହେରାଙ୍କ ହସ୍ତରେ ଆଜ୍ଞାମାଳ ପଡ଼ିବା ପରେ ମାଆ ବାପଘରକୁ ଯିବା ପାଇଁ ଅନୁମତି ଦେଲେ ବୋଲି ନିଶ୍ଚୟ କରାଯାଇଥିଲା ।

ପ୍ରତି ଦୁଇବର୍ଷରେ ଥରେ ହେଉଥିବା ଯାତ୍ରା କେଉଁ ଆବାହନ କାଳରୁ ରହିଆସିଛି । ବିଭିନ୍ନ ସାହି ଦେଇ ମାଆ ଅସ୍ଥାୟୀ ମଣ୍ଡପକୁ ଯାଇଥିଲେ । ଯେଉଁବାଟ ଦେଇ ମାଆ ଯାଇଥିଲେ ସେହି ରାସ୍ତାକୁ ମହିଳାମାନେ ଗୋବର ପାଣିରେ ଲିପାପୋଛା କରିବା ସହ ଝୋଟିରେ ସଜାଇଥିଲେ । ଏହି ସମୟରେ ଦେଖିବାକୁ ମିଳିଥିଲା ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ଅସ୍ଥାୟୀ ମଣ୍ଡପରେ ମାଆ ପହଞ୍ଚିବା ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ମାଆଙ୍କୁ ସ୍ଥାପନ କରାଯାଇଥିଲା । ପରେ ବିଧିବଦ୍ଧ ଭାବେ ମାଆ ସାଆନ୍ତାଣୀଙ୍କ ପ୍ରସିଦ୍ଧ ଦୁଇବାର୍ଷିକ ଯାତ୍ରା ଆରମ୍ଭ ହୋଇଛି । ଅସ୍ଥାୟୀ ମନ୍ଦିରରେ ମାଙ୍କୁ ଦର୍ଶନ କଲେ ପୁଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି ।