ମା’ ଭଗବତୀ ମନ୍ଦିର ରୂପାନ୍ତରଣ କାମ ଠପ୍, ତୁରନ୍ତ କାମ ଆରମ୍ଭ କରିବାକୁ ଦାବି

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଆରମ୍ଭ ହୋଇଛି ଅସହିଷ୍ଣୁ ରାଜନୀତି । ଖୋଦ ପୂର୍ତ୍ତମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ରାଜନୈତିକ ବିଦ୍ବେଶ ଓ ଅସହିଷ୍ଣୁତାର ଚରମ ନିଦର୍ଶନ ଦେଖିବାକୁ ମିଳିଛି । ପୂର୍ବର ବିଜେଡି ସରକାରକୁ ବଦନାମ କରିବାକୁ ସବୁ ପ୍ରକଳ୍ପକୁ ଅଧାରୁ ବନ୍ଦ କରାଯାଉଛି । ବାଣପୁରର ପମୁଖ ଶକ୍ତିପୀଠ ମା ଭଗବତୀ ମନ୍ଦିର ରୂପାନ୍ତରଣ ପାଇଁ ଆରମ୍ଭ ହୋଇଥିବା କାମ ଅଧାରୁ ବନ୍ଦ ହୋଇଯାଇଛି । ଏପରିକି ପୂର୍ବ ସରକାର କାଳେ ରୂପାନ୍ତରଣର ଶ୍ରେୟ ନେଇଯିବ ସେଥିପାଇଁ ୨୦୨୩ ଡିସେମ୍ବର ୧ ତାରିଖରେ ପଡିଥିବା ଶିଳାନ୍ୟାସ ଫଳକକୁ ମଧ୍ୟ ହଟେଇ ଦିଆଯାଇଛି । ଭକ୍ତ ଓ ମନ୍ଦିର ସେବାୟତଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ପୂର୍ତ୍ତମନ୍ତ୍ରୀ ଓ ଓବିସିସି ମୁହଁ ଖୋଲୁନାହାଁନ୍ତି ।

ରାଜ୍ୟର କିଛି ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ବାଣପୁରର ମା ଭଗବତୀଙ୍କ ପୀଠ ଅନ୍ୟତମ । ପ୍ରତିଦିନ ଏଠାକୁ ଶହ ଶହ ଶ୍ରଦ୍ଧାଳୁ ଆସିଥାନ୍ତି । ତେଣୁ ଭକ୍ତ ଓ ସେବାୟତଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଶାଳିଆ ନଦୀ କୂଳରେ ଅବସ୍ଥିତ ଏହି ଧାର୍ମୀୟ କ୍ଷେତ୍ରର ରୂପାନ୍ତରଣ ପାଇଁ ୨୦୨୩ରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଅଣ୍ଟାଭିଡିଥିଲେ । ତାଙ୍କ ଅନୁରୋଧ କ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୀଠର ଉନ୍ନତିକରଣ ପାଇଁ ବ୍ଲୁ-ପ୍ରିଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସରକାର, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ପରେ ତିଆରି ହୋଇଥିଲା ମାଷ୍ଟର ପ୍ଲାନ ।

ମନ୍ଦିର ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲ ଉଚ୍ଛେଦ, ମନ୍ଦିର ପଛପଟ ପାଚେରୀ ନିର୍ମାଣ, ବସଷ୍ଟାଣ୍ଡର ଉନ୍ନତିକରଣ ସହ ପାର୍କିଂ ବ୍ୟବସ୍ଥା, ଦୋଳବେଦି ଛକରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ, ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ, ରୋଷଘର ଉନ୍ନତିକରଣ, ସର୍ବସାଧାରଣ ପ୍ରସାଦ ସେବନ ଗୃହ, ଐତିହାସିକ ଦକ୍ଷେଶ୍ବର ମନ୍ଦିରର ପୁନରୁଦ୍ଧାର ପରି ଏକାଧିକ ପ୍ରକଳ୍ପକୁ ନେଇ ମାଷ୍ଟର ପ୍ଲାନ ହୋଇଥିଲା । ଏଥିପାଇଁ ୨୦୨୩ ଡିସେମ୍ବର ୧ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇ କାମ ଆରମ୍ଭ ହୋଇଥିଲା । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩୩ କୋଟି ଟଙ୍କା ମଂଜୁର କରାଯାଇଥିଲା । ହେଲେ ସରକାର ବଦଳିବା ପରେ ଏବେ ରୂପାନ୍ତରଣ କାମ ପୂରା ଠପ । ଯାହାକୁ ନେଇ ମନ୍ଦିର ସେବାୟତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ସବୁଠାରୁ ଉଦବେଗର କଥା ହେଉଛି, ସରକାର ବଦଳିବା ପରେ ଏବେ ନୂଆ ସରକାର ଭିତ୍ତିପ୍ରସ୍ତର ଫଳକକୁ ମଧ୍ୟ ହଟେଇ ଦେଇଛନ୍ତି । ଏହି ଭିତ୍ତିପ୍ରସ୍ତରକୁ ସେ ସମୟରେ ଖୋଦ ବିଜେଡି ସାଂସଦ ମାନସ ମଙ୍ଗରାଜ ସ୍ଥାପନ କରିଥିଲେ । କିନ୍ତୁ ରାଜନୈତିକ ଅସହିଷ୍ଣୁତା ଯୋଗୁ ଭିତ୍ତିପ୍ରସ୍ତର ଫଳକକୁ ହଟେଇ ସେଠାରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯାଇଛି । ପୂର୍ତ୍ତମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳି ଅନ୍ତର୍ଗତ ଏହି ଧାର୍ମିକ ପୀଠ କାମରେ ରାଜନୈତିକ ଅସହିଷ୍ଣୁତାକୁ ନେଇ ମଧ୍ୟ ଅସନ୍ତୋଷ ବଢୁଛି ।

ସବୁଠୁ ଉଦବେଗର କଥା ହେଉଛି ପ୍ରକଳ୍ପ କାମ ଆଗେଇ ନପାରିବ ଓ ଫଳକ ହଟେଇ ଦିଆଯାଇବା ଘଟଣାରେ ନା ପୂର୍ତ୍ତମନ୍ତ୍ରୀ ନା କାମ କରୁଥିବା ଓଡିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନ ଅଧିକାରୀ କେହି ବି ମୁହଁ ଖୋଲିବାକୁ ନାରାଜ ।