ଧରାପଡିଲା ମହିଳାଙ୍କ ଚାଲାକି: ଖୋଲିଲା ସ୍ବାମୀ-ପୁଅ ଫେରାର ଗୁମର

ଟାଙ୍ଗୀ: ପୋଲିସଠାରୁ ମାନବାଧିକାର କମିଶନ ଓ ହାଇକୋର୍ଟଙ୍କୁ ଭୁଆଁ ବୁଲାଉଥିବା ମହିଳାଙ୍କ ଧରା ପଡିଲା ଚାଲାକି । ନିଜେ ସ୍ବାମୀ ଏବଂ ପୁଅକୁ ଫେରାର କରାଇ ଗ୍ରାମବାସୀଙ୍କ ମୁଣ୍ଡରେ ଲଦିଥିଲେ ଦୋଷ । ସେତିକି ନୁହେଁ ଘଟଣାକୁ ମାନବାଧିକାର କମିଶନ ଏବଂ ହାଇକୋର୍ଟ ପର୍ଯ୍ୟନ୍ତ ଟାଣିଥିଲେ । ହେଲେ କଥାରେ ଅଛି ଅପରାଧୀ ଡାଳେ ଡାଳେ ଗଲେ ପୋଲିସ ପତରେ ପତରେ ଯାଇଥାଏ । ଏଠି ବି ଠିକ୍ ସେଇଆ ହୋଇଛି । ଧରାପଡିଛି ମହିଳାଙ୍କ ଫେରାର ଚାଲାକି ।

ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ହାଟବରଡି ଗାଁର । ପୁଅ ମାନସ ବେହେରା ଓ ସ୍ବାମୀ ଅରୁଣ ବେହେରାଙ୍କୁ ଲୁଚାଇ ରଖି ଗ୍ରାମବାସୀ ଫେରାର୍ କରିଥିବା ଅଭିଯୋଗ କରିଥିଲେ ପାର୍ବତୀ ବେହେରା । ପୋଲିସକୁ ଧୋକ୍କା ଦେବାକୁ ବିଧିବଧ ପ୍ଲାନ କରିଥିଲେ ମହିଳା ଜଣକ । ପୁଅ ଓ ସ୍ବାମୀଙ୍କୁ ଲୁଚାଇ ଫେରାଇ ଆଣିବା ପାଇଁ ପ୍ରଥମେ ଥାନା, ପରେ ମାନବାଧିକାର କିମିଶନର ଏବଂ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଦୀର୍ଘ ୪ ବର୍ଷ ହେଲା ଚାଲିଥିଲା ମହିଳାଙ୍କ ଏହି ଭୁଆଁ ବୁଲା ନାଟକ । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ।  ଗୋପାଳପୁରରେ ପୋଲିସ ଚଢାଉ କରି ପାର୍ବତୀଙ୍କ ସହ ତାଙ୍କ ସ୍ବାମୀ ଅରୁଣ ଓ ପୁଅଙ୍କୁ ଗିରଫ କରିଛି ।

୨୦୧୮ରେ  ହାଟବରଡି ଗ୍ରାମବାସୀ ଚିଲିକାରେ ମାଛ ନମାରିବା ପାଇଁ ନଷ୍ପତ୍ତି ନେଇଥିଲେ । ହେଲେ ଅରୁଣ ଏବଂ ତାଙ୍କ ପୁଅ ଗାଁ କମିଟି ନିଷ୍ପତ୍ତି ନମାନି ଡଙ୍ଗା ବାହାର କରିଥିଲେ । ଏହାପରେ ଗ୍ରାମବାସୀ ଅରୁଣଙ୍କ ପରିବାର ଉପରେ ୫ ହଜାର ଟଙ୍କା ଜରିମନା ଲଗାଇଥିଲେ । ଜରିମାନା ପଇଠ କରିବା ତ ଦୂରର କଥା, ପାର୍ବତୀ ନିଜେ ସ୍ବାମୀ ଓ ପୁଅକୁ ଫେରାର କରି ଗ୍ରାମବାସୀଙ୍କ ବିରୋଧରେ ଥାନାରେ ଅପହରଣ ଅଭିଯୋଗ କରିଥିଲେ ।