ବଡଓଷାରେ ରାଜଧାନୀରେ ଭାସିଲା ଡଙ୍ଗା, ଏଥର ଫିକା ପଡିବ ବୋଇତ ବନ୍ଦାଣ

ଭୁବନେଶ୍ବର: ମଧ୍ୟରାତ୍ରି ୨ ଟାରୁ ଭୋର ୫ ଟା ୪୫ ମଧ୍ୟରେ ଡଙ୍ଗାଭସା । ବିନ୍ଦୁସାଗର, ଦୟା, କୁଆଖାଇରେ ସ୍ବତନ୍ତ୍ର ବ୍ୟବସ୍ଥା । ମଙ୍ଗଳବାର ଅପରାହ୍ନ ୨ ଟା ୩୦ରୁ ଚନ୍ଦ୍ରଗ୍ରହଣ ସମୟ ଥିବାରୁ ଭୋର ୫ଟା ୫୪ ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି। ଆ କା ମା ବୈ, ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋ’ର…। ଏଇ ଗୀତର ଗୁଞ୍ଜରଣ ସହ ବୋଇତ ବନ୍ଦାଇ ଧର୍ମ ଅର୍ଜନ କରିବା ପାଇଁ ରାଜଧାନୀର ବିନ୍ଦୁସାଗର ପାଲଟିଛି ଚଳଚଞ୍ଚଳ ।

ଯଦିଓ ମଧ୍ୟରାତ୍ରି ୨ ଟାରୁ ଭୋର ୫ଟା ୪୫ ମଧ୍ୟରେ ଡଙ୍ଗା ଭସା ପାଇଁ ସମୟ ରହିଛି, ତେବେ ଚନ୍ଦ୍ର ଗ୍ରହଣ ପାଇଁ ଶୀତୁଆ ପାହାନ୍ତି ସକାଳରେ ବିନ୍ଦୁସାଗର ନିକଟରେ ଲୋକେ ଡଙ୍ଗା ଭସାଉଥିବା ଦେଖାଯାଇଛି । ବଡ଼ ଓଷା ଉପବାସ କରିଥିବା ଲୋକେ ସକାଳୁ ନିଜ ପରିବାରର ଶୁଭ ମନାସି ଡଙ୍ଗା ଭସାଇଛନ୍ତି । ମଙ୍ଗଳବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଅପରାହ୍ନ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ ।

ଓଡିଶାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ ମିନିଟ୍ ପାଇଁ ଅର୍ଥାତ ୫ଟା ୫ରୁ ୫ଟା ୧୧ ଯାଏଁ ଦେଖିପାରିବେ । ଗ୍ରହଣ ଯୋଗୁଁ ମଙ୍ଗଳବାର ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । ଏଣୁ ପ୍ରାୟତଃ ରାତି ସମୟରେ ଡଙ୍ଗାଭସା ହେବାକୁ ଥିବାରୁ ରାଜଧାନୀରେ ୫ ପ୍ଲାଟୁନ ପୋଲିସ ମୁତୟନ ହେବେ । ଏହାସହ ଲୋକଙ୍କ ସୁରକ୍ଷା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ସଜାଗ ରହିବ ।

ଚନ୍ଦ୍ରଗ୍ରହଣ ପାଇଁ ପଠାଣି ସାମନ୍ତ ପ୍ଳାନେଟୋରିଅମରେ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି । ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ଲୋକେ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ ।