ପତିପତ୍ନୀଙ୍କ ପାଟିତୁଣ୍ଡରେ ରାଗିଗଲେ ପାଇଲଟ, ଅଧାବାଟରେ ଓହ୍ଲାଇଦେଲେ

ନୂଆଦିଲ୍ଲୀ: ମ୍ୟୁନିଚ ଠାରୁ ବ୍ୟାଂକକ୍‌ ଉଡାଣ ଭରିଥିବା ଲୁଫତାନ୍ସା ବିମାନର ଜରୁରୀ ଅବତରଣ  । ନୂଆଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଛି ଲୁଫଥାନ୍ସା ବିମାନ  । ଜରୁରୀ ଅବତରଣ ପରେ ଦୁଇ ଜଣ ଯାତ୍ରୀଙ୍କୁ ଜୋର ଜବରଦସ୍ତଚ ଓହ୍ଲାଇ ଦିଆଯାଇଛି  । ଏହାର କାରଣ ଶୁଣିଲେ ଆପଣ ହୁଏତ ହସିହସି ବେଦମ ହୋଇଯିବେ  ।

ଲୁଫଥାନ୍ସା ଉଡାଣ ସଂଖ୍ୟା ଏଲଏଚ ୭୭୨କୁ ସକାଳ ୧୦ଟା ସମୟରେ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଛି  । ଏହା ପୂର୍ବରୁ ପାଇଲଟ ଏଟିସି ସହ ସମ୍ପର୍କ କରି ବିମାନ ଭିତରେ ଉତ୍‌ପାତ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ  ।

ବିମାନରେ ଯାତ୍ରା କରୁଥିବା ଜଣେ ଜର୍ମାନୀର ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କ ପାଟିତୁଣ୍ଡ ପରେ ବିମାନରେ ସ୍ଥିତି ବିଗିଡି ଯାଇଥିଲା  । ଯାହାପରେ ବିମାନ ବନ୍ଦରରେ ଜରୁରୀ ଅବତରଣ ପାଇଁ ଅନୁମତି ମଗାଯାଇଥିଲା  ।

ପ୍ରଥମେ ପତ୍ନୀ ଜଣକ ପତିଙ୍କ ନାଁରେ ଅଭିଯୋଗ କରିଥିଲେ  । ତାଙ୍କ ସ୍ବାମୀ ଧମକାଉଥିବା ସେ ଅଭିଯୋଗ କରିଥିଲେ  । ଏହାପରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା  । ଗଣ୍ଡଗୋଳ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ବାଧ୍ୟ ହୋଇ ଦୁଇ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବାପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ  ।