ଆଦିବାସୀ ମହିଳାଙ୍କୁ ଲକ୍ଷ୍ନୌ ପୋଲିସର ହାଜିର ନୋଟିସ୍‌, ହେଲେ କାହିଁକି…?

ନବରଙ୍ଗପୁର: ଜଣେ ଗାଇ ଚରାଳିଙ୍କ ନାଁରେ ଆସିଛି ଲକ୍ଷ୍ନୌର ଏକ ଥାନାରୁ ନୋଟିସ୍‌ । ତାହା ପୁଣି ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ । ନିଜ ଜିଲ୍ଲା ବାହାରେ କେବେ ବି ପାଦ ଦେଇନଥିବା ଜଣେ ଗରିବ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମହିଳାଙ୍କ ନାଁରେ ଲକ୍ଷ୍ନୌରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଆଉ ଏଭଳି ନୋଟିସ୍‌ ପାଇବା ପରେ ମହିଳାଙ୍କ ପାଦ ତଳୁ ମାଟି ଖସିଯାଇଛି ।

ପ୍ରତିଦିନ ଗାଇ ଚରାଇଲେ ନିଜ ପେଟ ପାଇଁ ଦାନା ଯୋଗାଡ଼ କରନ୍ତି ଆଉ ନିଜର ପରିବାର ପ୍ରତିପାେଷଣ କରନ୍ତି ମହିଳା । ଦିନକ ପାଇଁ କେବେ ବି ସେ ନବରଙ୍ଗପୁର ଜିଲ୍ଲା ବାହାରେ ପାଦ ଥୋଇ ନାହାନ୍ତି । ହେଲେ ଗଞ୍ଜେଇ ଚୋରାଚାଳାଣ କରିଥିବା ଅଭିଯୋଗରେ ଲକ୍ଷ୍ନୌ ଡାଇରେକ୍ଟରେଟ୍‌ ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ ବିଭାଗ ପକ୍ଷରୁ ତାଙ୍କ ନାଁରେ ନୋଟିସ୍ ଆସିଛି । ଆଉ ନୋଟିସରେ କୁହାଯାଇଛି ଥାନାରେ ହାଜର ହେବାକୁ ।

ନବରଙ୍ଗପୁର ସନ୍ୟାସୀଗୁଡ଼ାର ଆଦିବାସୀ ମହିଳା ଗୋରିମଣି ଭଦ୍ରା । ବାହାରକୁ ଗାଇ ଚରାଇବାକୁ ଯାଇଥିବା ସମୟରେ ଘରକୁ ଆସିଥିଲା ନୋଟିସ୍‌ । ହେଲେ ପାଠ ପଢା ଜାଣିନଥିବାରୁ ଗୋରିମଣି ଓ ତାଙ୍କ ପରିବାର ଚିଠିରେ କ’ଣ ରହିଛି ତାହା ଜାଣିପାରି ନଥିଲେ । ନିକଟସ୍ଥ ଗାଁର ଜଣେ ଶିକ୍ଷକଙ୍କୁ ନେଇ ସେ ଚିଠିଟି ଦେଖାଇଥିଲେ । ଆଉ ଶିକ୍ଷକ ଜଣ ଚିଠି ପଢ଼ିବା ପରେ କହିଥିଲେ ଯେ, ୨୦୧୯ ମସିହାରେ ଗଞ୍ଜେଇ ଚାଲାଣ ନେଇ ମହିଳାଙ୍କ ନାଁରେ ଲକ୍ଷ୍ନୌରେ ହାଜର ହେବାକୁ ନିର୍ଦ୍ଦେଶ ଆସିଛି । ଏକଥା ଜାଣିବା ପରେ ଗାେରିମଣିଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ତେବେ ଏଭଳି ନୋଟିସ୍‌ର କିଭଳି ମୁକାବିଲା କରିବେ ସେନେଇ ପୁରା ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି । ଆଉ ଲକ୍ଷ୍ନୌରେ କିଭଳି ହାଜିର ହେବେ ସେ କଥା ଭାବି ଭାରାକ୍ରାନ୍ତ ହୋଇ ବସିଛନ୍ତି । ନବରଙ୍ଗପୁର ଜିଲ୍ଲା ଛାଡି କେବେ ବାହାରକୁ ଯାଇନଥିବା ମହିଳାଙ୍କ ନାଁରେ କିଭଳି ଓ କେଉଁ ପରିସ୍ଥିତିରେ ନୋଟିସ୍‌ ଆସିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave a Reply