ହାଥରସ ଗଣଦୁଷ୍କର୍ମ ମାମଲା: ଆହ୍ଲାବାଦ ହାଇକୋର୍ଟ ଶୁଣାଣିରେ କ’ଣ ହେଲା ଜାଣନ୍ତୁ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୟୁପିର ହାସରଥ ଦଳିତ ଝିଅ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ସୋମବାର ଆହ୍ଲାବାଦ ହାଇକୋର୍ଟରେ ହୋଇ ଯାଇଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କୋର୍ଟ ୟୁପି ପୋଲିସ ପ୍ରଶାସନ ଏବଂ ପୀଡ଼ିତାଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି । ଏଥିସହିତ ଉଭୟଙ୍କ ପକ୍ଷ ମଧ୍ୟ ଶୁଣିଛନ୍ତି । ସାମଗ୍ରିକ ଘଟଣାର ପୂର୍ବାପର ପ୍ରସଙ୍ଗକୁ ବିଚାରକୁ ନିଆଯାଇ ୟୁପି ପୋଲିସ ଡିଜିପି, ମୁଖ୍ୟ ଶାସନ ସଚିବ ଏବଂ ସ୍ଥାନୀୟ ପୋଲିସ ଅଧିକାରୀଙ୍କଠାରୁ ଉତ୍ତର ତଲବ କରାଯାଇଛି ।
ସେହିପରି ଶୁଣାଣି ସମୟରେ ପୀଡିତଙ୍କ ପରିବାର କୋର୍ଟରେ ୩ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି । ସେମାନେ କହିଛନ୍ତି ଯେ, ଏହି ମାମଲାଟିକୁ ୟୁପି ବ୍ୟତୀତ ଅନ୍ୟ କୌଣସି ରାଜ୍ୟକୁ ସ୍ଥାନ୍ତାନ୍ତର କରି ଦିଆଯାଉ । ସିବିଆଇ ଦ୍ୱାରା ତଦନ୍ତ କରାଯାଉଥିବା ତଥ୍ୟଗୁଡିକୁ ତଦନ୍ତର ନିର୍ଯ୍ୟାସ ନ ମିଳିଲା ଯାଏ ଗୋପନ ରଖାଯାଉ । ସେହିପରି ଏପରି ଏକ ସମ୍ବେଦଶୀଳ ପ୍ରସଙ୍ଗ ତଦନ୍ତ ସରିବା ଯାଏ, ସେମାନଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରାଯାଉ ।
ପୀଡ଼ିତାଙ୍କ ପରିବାର ପକ୍ଷରୁ ସୀମା କୁଶୱା ସମସ୍ତ ତଥ୍ୟ ଆହ୍ଲାବାଦ ହାଇକୋର୍ଟ ନିକଟରେ ଦାଖଲ କରିଛନ୍ତି ।ହାଇକୋର୍ଟରେ ୟୁପିର ଅତିରିକ୍ତ ଆଡଭୋକେଟ ଜେନେରାଲ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ମାମଲାରେ ସେ ଡିଜିପି, ମୁଖ୍ୟ ସଚିବ ଏବଂ ସ୍ଥାନୀୟ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ । ସେହିପରି ୟୁପି ସରକାର ପୂର୍ଣ୍ଣାଙ୍ଗ ପକ୍ଷ ରଖିବା ପାଇଁ ନଭେମ୍ବର ୨ ପର୍ଯ୍ୟନ୍ତ ସମୟ ମାଗିଛନ୍ତି ।
ଏ ସବୁ ମଧ୍ୟରେ ଯେଉଁଭଳି ଭାବେ ଦଳିତ ଝିଅର ଶବ ସତ୍କାର କରାଯାଇଥିଲା, ତାହାକୁ ନେଇ ହାଇକୋର୍ଟ ରୋଷ ପ୍ରକାଶ କରିଛନ୍ତି । କେଉଁ ପରିସ୍ଥିତିରେ ଏପରି କରାଗଲା ବୋଲି କୋର୍ଟପ୍ରଶାସନକୁ ପଚାରିଥିଲେ । ଯଦି ଆପଣଙ୍କ ଝିଅର ଶବ ସହ ଏପରି ହୋଇ ଥାଆନ୍ତା, ତେବେ ଆପଣ କ’ଣ ଅନୁମତି ଦେଇଥାଆନ୍ତେ କି ପରି ପ୍ରଶ୍ନ କୋର୍ଟ କରିଥିଲେ । ଅପରପକ୍ଷରେ ଏହି ପ୍ରଶ୍ନର କୌଣସି ଯୁକ୍ତିଯୁକ୍ତ ଉତ୍ତର ୟୁପି ପୋଲିସ ପ୍ରଶାସନ ପକ୍ଷରୁ ଦିଆଯାଇ ପାରି ନ ଥିଲା । ପୀଡିତାଙ୍କ ପରିବାର ଯେଉଁ ସୁରକ୍ଷା ମାଗିଛନ୍ତି, ଏହି ଆବେଦନକୁ ଗ୍ରହଣ କରି କୋର୍ଟ ମଧ୍ୟ ସୁରକ୍ଷା ପାଇଁ ସମ୍ମତି ପ୍ରକାଶ କରିଥିବା ଜଣାପଡିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ରେ ହେବ ବୋଲି ଜଣାପଡିଛି ।