ସ୍ଥଳ ସେନା ମୁଖ୍ୟ ହୋଇପାରନ୍ତି ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ହୋଇପାରନ୍ତି ପରବର୍ତ୍ତୀ ସେନା ମୁଖ୍ୟ । ବର୍ତ୍ତମାନ ଚଣ୍ଡୀ ପ୍ରସାଦ ଅଛନ୍ତି ସେନାର ଉପମୁଖ୍ୟ ପଦରେ ଅଛନ୍ତି । ଗତ ଜାନୁଆରୀରେ ସେ ଏହି ଦାୟିତ୍ବ ନେଇଥିଲେ । ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ବର୍ତ୍ତମାନର ସେନାମୁଖ୍ୟ ଏମଏମ ନରଓ୍ବାଣେଙ୍କୁ ନିଯୁକ୍ତି ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ନରଓ୍ବାଣେ ପରବର୍ତ୍ତୀ ସିଡିଏସ ହୁଅନ୍ତି ତେବେ ଚଣ୍ଡୀ ପ୍ରସାଦ ପରବର୍ତ୍ତୀ ସେନାମୁଖ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ସହ ନର୍ଦର୍ଣ୍ଣ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଓ୍ବାଇକେ. ଯୋଶୀ ମଧ୍ୟ ସେନାମୁଖ୍ୟ ଦୌଡରେ ଅଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ମହାନ୍ତି ଓ ଯୋଶୀ ଗୋଟିଏ ବ୍ୟାଚର ହୋଇଥିବାବେଳେ ନରଓ୍ବାଣେଙ୍କ ପରେ ଦୁହିଁଙ୍କ ରାଙ୍କ ସର୍ବୋଚ୍ଚ ।

ସେନାଉପମୁଖ୍ୟ ଚଣ୍ଡୀ ପ୍ରସାଦଙ୍କ ଏଲଏସି ସମ୍ପର୍କରେ ଗଭୀର ଅଭିଜ୍ଞତା ରହିଥିବାବେଳେ ତାଙ୍କୁ ପରବର୍ତ୍ତୀ ସେନାମୁଖ୍ୟ ଲାଗି ଅଧିକ ଦାବିଦାର ମନେ କରାଯାଉଛି । ଚଣ୍ଡୀ ପ୍ରସାଦ ପରମବୀର ସେବା ସମ୍ମାନ, ଅତିବିଶିଷ୍ଟ ସେବା ସମ୍ମାନ ଆଦି ଉପାଧିରେ ଭୂଷିତ । ସେ ଗତ ଫେବ୍ରୁଆରୀ ୧ ରେ ସେନାର ଉପମୁଖ୍ୟ ଭାବରେ ନିଯୁକ୍ତି ହୋଇଥିଲେ । ଜଗତସିଂହପୁରରେ ଜନ୍ମିତ ଚଣ୍ଡୀ ପ୍ରସାଦ ଜାତୀୟ ସ୍ତରରେ ଅନେକ ସମ୍ମାନ ସାଉଁଟିଛନ୍ତି । ସାଧାରଣ ଶିକ୍ଷା ଶେଷ କରିବା ପରେ ସେ ଡେରାଡୁନ ରାଷ୍ଟ୍ରୀୟ ଭାରତୀୟ ସାମରିକ କଲେଜରେ ପଢିଥିଲେ । ଏନଡିଏରେ ଶିକ୍ଷା ହାସଲ ପରେ ସେ ଓ୍ବେଲିଂଟନସ୍ଥିତ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜରେ ପଢିଥିଲେ । ସେ ୧୯୮୨ରେ ରାଜପୁତ ରେଜିମେଣ୍ଟର ଦ୍ବିତୀୟ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟ କରିଥିଲେ । ଜାମ୍ମୁ ଓ କାଶ୍ମୀର ଏବଂ ଉତ୍ତରପୂର୍ବାଞ୍ଚଳରେ ସେ ଗୁରୁ ଦାୟିତ୍ବ ସମ୍ଭାଳିଥିଲେ । ପରେ ସେ କଙ୍ଗୋରେ ଜାତିସଂଘ ବ୍ରିଗେଡରେ ସାମିଲ ହୋଇଥିଲେ ।

Leave a Reply