ସଂସଦକୁ ବ୍ୟାପିଛି ମଣିପୁର ନିଆଁ, ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରି ଆଲୋଚନା ପାଇଁ ରାଜି ସ୍ପିକର

ନୂଆଦିଲ୍ଲୀ: ଏନଡିଏ ଭର୍ସେସ ଇଣ୍ଡିଆ । ସଂସଦରେ ମଣିପୁର ନେଇ ଗତିରୋଧ ଜାରି । ଆଜି ବି ବିରୋଧରେ ଜୋରଦାର ହଙ୍ଗାମା । ମଣିପୁର ପ୍ରସଙ୍ଗରେ କାହିଁକି ଆଲୋଚନା ଚାହୁଁନାହାନ୍ତି ସରକାର ? ଭାରତର ଏକ ଅଭିନ୍ନ ଅଙ୍ଗ ପ୍ରତି କାହିଁ ସରକାର ସମ୍ବେଦନଶୀଳତା ଦେଖାଉନାହାନ୍ତି ? ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ସାଂସଦ । ମଣିପୁର ପ୍ରସଙ୍ଗକୁ ନେଇ ଆଜି ଏନଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ ।

ଲୋକସଭାରେ  କଂଗ୍ରେସ ଓ ବିଆରଏସ୍ ଅନାସ୍ଥା ପ୍ରସ୍ତାବ ଗ୍ରହଣ ହୋଇଥିବା ବେଳେ ଆଲୋଚନା ପାଇଁ ରାଜି ହୋଇଛନ୍ତି ସ୍ପିକର । ବିରୋଧୀ ସାଂସଦଙ୍କ ହଲ୍ଲାବୋଲ ପରେ ଲୋକସଭା ଦିନ ୧୨ଟା ଯାଏଁ ମୁଲତବି କରିଦିଆଯାଇଛି। ଉଭୟ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବୟାନ ପାଇଁ ବିରୋଧୀ ଜିଦ୍ ଧରିଥିବା ବେଳେ ସରକାର କିନ୍ତୁ ଏଥିରେ ଅରାଜି । ଫଳରେ ୫ଦିନ ଧରି ସଂସଦରେ ଅଚଳାବସ୍ଥା ଲାଗି ରହିଛି ।

ସେପଟେ ରାଜ୍ୟସଭାରେ ରୁଲ ନମ୍ବର ୨୬୭ ଆଧାରରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସସପେନସନ ଅଫ ବିଜନେସ ନୋଟିସ ଦେଇଥିଲେ କଂଗ୍ରେସ ସାଂସଦ ମନିଷ ତିଓ୍ବାରୀ, ଆପ୍ ସାଂସଦ ରାଘବ ଚଡ୍ଡା, ଆରଜେଡି ଏମପି ମନୋଜ ଝା । ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଅଭିଭାଷଣ ବେଳେ ମାଇକ ବନ୍ଦକୁ ନେଇ ବିରୋଧୀ ରାଜ୍ୟସଭାରେ ହଙ୍ଗାମା କରିଥିଲେ । ଅନ୍ୟପଟେ ଆପ୍ ସାଂସଦ ସଞ୍ଜୟ ସିଂଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ପାର୍ଲାମେଣ୍ଟ ପରିରସରେ ବିରୋଧୀ ସାଂସଦଙ୍କ ଧାରଣା ଜାରି ରହିଛି । ଧାରଣାସ୍ଥଳରେ ପହଞ୍ଚି ସଞ୍ଜୟ ସିଂଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ସାସଂଦ ସୋନିଆ ଗାନ୍ଧୀ ।