ଆହୁରି ମହଙ୍ଗା ହେଲା କମର୍ସିଆଲ ଗ୍ୟାସ୍‌ ଦର, ସିଲିଣ୍ଡର ପିଛା ୨୬୬ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ମହଙ୍ଗା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର । ୨୬୬ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ । ବର୍ଦ୍ଧିତ ଦର ଆଜିଠୁ ଲାଗୁ ହୋଇଛି । ଦିଲ୍ଲୀରେ ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ ୨ ହଜାର ଟଙ୍କା ୫୦ ପଇସା ହୋଇଛି । ପୂର୍ବରୁ ଏହା ୧୭ ଶହ ୩୪ଟଙ୍କା ଥିଲା । ଭୁବନେଶ୍ବରରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୨୭୦ ଟଙ୍କା ବୃଦ୍ଧି ହୋଇଛି । ୨୧ଶହ ଟଙ୍କା ହୋଇଛି ବର୍ଦ୍ଧିତ ଦର । ଆଗରୁ ଏହା ୧୮ ଶହ ୩୦ ଟଙ୍କା ଥିଲା । ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

ଏହାପୂର୍ବରୁ, ଅକ୍ଟୋବର ୬ ତରିଖରେ ସବସିଡିଯୁକ୍ତ ଗ୍ୟାସ ସମେତ ସମସ୍ତ ବର୍ଗରେ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫ ବୃଦ୍ଧି କରାଯାଇଥିଲା। ଏହାପୂର୍ବରୁ, ଅକ୍ଟୋବର ୧ ରେ ସବସିଡିଯୁକ୍ତ ଏବଂ ଅଣ ସବସିଡିଯୁକ୍ତ ଏଲପିଜି ହାର ୨୫ ବୃଦ୍ଧି କରାଯାଇଥିଲା। ସରକାରୀ ନୀତିରେ ସବସିଡିଯୁକ୍ତ କିମ୍ବା ବଜାର ହାରରେ ପ୍ରତ୍ୟେକ ପରିବାର ପାଇଁ ୧୪.୨ କିଲୋଗ୍ରାମର ୧୨ ଟି ସିଲିଣ୍ଡର ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। ଏହା ଉପରେ ଯେକୌଣସି ପରିମାଣ ବଜାର ମୂଲ୍ୟ କିମ୍ବା ସବସିଡିଯୁକ୍ତ ହାରରେ କିଣିବାକୁ ପଡିବ ।

ଅନ୍ୟପଟେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ଷଷ୍ଠ ଦିନ ପାଇଁ ସାରା ଦେଶରେ ବୃଦ୍ଧି କରାଯାଇଥିଲା । ପେଟ୍ରୋଲ ଓ ଡିଜେଲ ଦର ୩୫ପଇସା ଲେଖାଏ ବୃଦ୍ଧି ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୯ଟଙ୍କା ୬୯ ପଇସା ଥିବା ବେଳେ ଡିଜେଲ ଦର ଲିଟର ପିଛା ୯୮ଟଙ୍କା ୪୨ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଦର ୧୧୫ ଟଙ୍କା ୫୦ ପଇସା ଡିଜେଲ ଦର ୧୦୬ ଟଙ୍କା ୪୨ ପଇସା ହୋଇଛି ।

ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୬ଟଙ୍କା ୩୫ ପଇସା ଥିବା ବେଳେ ଡିଜେଲ ଦର ୧୦୧ଟଙ୍କା ୫୬ ପଇସା ରହିଛି ।  ଭୁବନେଶ୍ବରରେ ପେଟ୍ରୋଲ ଦର ୧୧୦ଟଙ୍କା ୬୭ପଇସା ଥିବା ବେଳେ ଡିଜେଲ ଦର ୧୦୭ଟଙ୍କା ୩୪ ପଇସା ହୋଇଛି । ରାୟଗଡ଼ାରେ ପେଟ୍ରୋଲ ଦର ୧୧୪ ଟଙ୍କା ୧୫ ପଇସା ଥିବା ବେଳେ ଡିଜେଲ ଦର ୧୧୦ ଟଙ୍କା ୬୮ ପଇସା ହୋଇଛି । ମାଲକାନଗିରିରେ ପେଟ୍ରୋଲ ୧୧୫ଟଙ୍କା ୯୦ ପଇସା ଥିବା ବେଳେ ଡିଜେଲ ଦର ୧୧୨ଟଙ୍କା ୩୯ ପଇସା ହୋଇଛି ।

Leave a Reply