ହଜାରେ ଛୁଇଁଲା LPG ଦର, ତେଜିଲା ରାଜନିତୀ

ଭୁବନେଶ୍ୱର: ପୁଣି ବଢିଲା ଘରୋଇ ଏଲପିଜି ସିଲିଣ୍ଡର ଦର । ଗୋଟିଏ ଗ୍ୟାସ ସିଲିଣ୍ଡର ଦାମ୍ ଏବେ ହଜାରେ ଟଙ୍କା ଟପିଛି । ଦରବୃଦ୍ଧିର ସିଧାସଳଖ ପ୍ରଭାବ ରୋଷେଇ ଘର ଉପରେ ପଡିଛି । ରୋଷେଇ ଗ୍ୟାସ ଦର ବୃଦ୍ଧିର ତୀବ୍ର ବିରୋଧ କରିଛି ବିଜେଡି । ଖରା କମିଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି । ରୋଷେଇ ଗ୍ୟାସ ସିଲିଣ୍ଡର ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି କରି କେନ୍ଦ୍ର ଅଛେ ଦିନ୍ ଆଣିଛି ବୋଲି କଟାକ୍ଷ କରିଛି କଂଗ୍ରେସ । ବିଜେପି କିନ୍ତୁ ଏ ପ୍ରସଙ୍ଗରେ ବାଢିଛି ବିତଣ୍ଡା ଯୁକ୍ତି ।

ରୋଷେଇ ଘରେ ଚଡ଼କ । ଚିନ୍ତାରେ ଗୃହିଣୀ । ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ଏକାଥରକେ ୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଗୋଟିଏ ସିଲିଣ୍ଡର ଦାମ ପହଞ୍ଚିଛି ୧ ହଜାର ୨୬ ଟଙ୍କା । କେନ୍ଦ୍ର ସରକାରଙ୍କ ଏପରି ଜନବିରୋଧୀ ନୀତିକୁ କଡା ସମାଲୋଚନା କରିଛନ୍ତି ବିଜେଡ଼ି ଓ କଂଗ୍ରେସ । କେନ୍ଦ୍ର ସରକାର ରୋଷେଇ ଘରକୁ ଲାତ ମାରିଥିବା କହିଛି ଶାସକ ବିଜେଡି । ଖରା କମିବା ମାତ୍ରକେ ଦର ବୃଦ୍ଧି ବିରୋଧରେ ଦଳ ଆନ୍ଦୋଳନକୁ ଓହ୍ଲାଇବ । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ।

କେନ୍ଦ୍ରରେ ବିଜେପି ସରକାର ଆସିବାଠାରୁ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁହୁ ବଢୁଥିବା ବେଳେ ଗ୍ୟାସ ଦର ବୃଦ୍ଧି କରି ଲୋକଙ୍କ ଖାଇବା ଥାଳିରେ ଲାତ ମାରିଛନ୍ତି କେନ୍ଦ୍ର ସରକାର । ଦର ବୃଦ୍ଧି କରି କେନ୍ଦ୍ର ସରକାର ଅଛେ ଦିନ୍ ଆଣିଛନ୍ତି ବୋଲି କଟାକ୍ଷ କରିଛି କଂଗ୍ରେସ । ବିଜେପି କିନ୍ତୁ ଏ ପ୍ରସଙ୍ଗରେ ବିତଣ୍ଡା ଯୁକ୍ତି ବାଢିଛି । ପେଟ୍ରୋଲ , ଡ଼ିଜେଲ ଦର ନିୟନ୍ତ୍ରଣ ବାହାରେ ଥିବା ବେଳେ ଏବେ ରୋଷେଇ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧିରେ ଖାଉଟି ଚିନ୍ତିତ ।