ଭୁବନେଶ୍ବର : କମ୍ପୁଛି ରାଜଧାନୀର ଲୋୟର ପିଏମଜି । ଦାବି ପୂରଣ ପାଇଁ ଆନ୍ଦୋଳକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ । ବିଧାନସଭା ମୁହାଁ ଦେଖି ବ୍ଯାରିକେଡ ଲଗାଇ ସଜାଗ ପୋଲିସ । ମାଷ୍ଟର କ୍ୟାଣ୍ଟିନ୍ ଛକରୁ ବିଶାଳ ରାଲି କରି ଆନ୍ଦୋଳସ୍ଥଳରେ ପହଞ୍ଚିଛନ୍ତି ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକାପାଚିକା ମହାସଂଘର କର୍ମଚାରୀ । ୭ ଦଫା ଦାବି ନେଇ ଆରମ୍ଭ କରିଛନ୍ତି ଆନ୍ଦୋଳନ । ୩୦ ବର୍ଷ ଧରି ଉତ୍ସର୍ଗୀକୃତ ଭାବେ ସେବା ଯୋଗାଇ ଆସୁଥିଲେ ସୁଦ୍ଧା ସରକାର ସେମାନଙ୍କ ପ୍ରତି ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି । ପାରିଶ୍ରମିକ ଦୈନିକ ଏକଶହ ଟଙ୍କା ବଦଳରେ ୪୬୨ ଟଙ୍କା ବୃଦ୍ଧି ହିସାବରେ ମାସିକ ୧୩ ହଜାର ୮୬୦ ଟଙ୍କା ଦାବି କରିଛନ୍ତି ପାଚକ ପାଚିକା ।
୧୧ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣାରେ ବସିଛନ୍ତି ଶତାଧିକ ୧୦୮ ଆମ୍ବୁଲାନ୍ସ କର୍ମଚାରୀ I ଦାବି ପୂରଣ ନହେଲେ ରାଜ୍ୟର ସମସ୍ତ କର୍ମଚାରୀ ସେବାରୁ ନିବୃତ୍ତ ହୋଇ ଧାରଣାରେ ବସିବେ ବୋଲି ଦେଇଛନ୍ତି ଚେତାବନୀ I ଦୀର୍ଘବର୍ଷ ଧରି ରୋଗୀ ସେବା ଯୋଗାଇ ଆସୁଥିଲେ ବି ସେମାନଙ୍କୁ ଧୋକ୍କା ଦିଆଯାଇଥିବା ଅଭିଯୋଗ କରିଛି ସଂଘ । ୧୨ ଘଣ୍ଟା ଡିଉଟି କରି ୮ ଘଣ୍ଟାର ଦରମା ମିଲୁଛି । ସଂସ୍ଥା ବଦଳିଲେ ଷ୍ଟାଫଙ୍କୁ ବି ଚାକିରିରୁ ବାହାର କରାଯାଉଛି । ସେପଟେ ଆଦର୍ଶ ବିଦ୍ୟାଳୟ ଶିକ୍ଷକମାନେ ବି ଅଭିନବ ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି I ସମାନ କାମକୁ ସମାନ ଦରମା ଦାବିରେ ହାତରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I ୧୩ଦଫା ଦାବି ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଲୟ ଶିକ୍ଷକ ସଂଘର ୫ ହଜାରରୁ ଅଧିକ ଶିକ୍ଷକ ଲୋୟର ପିଏମଜି ଧାରଣା ଦେଇଛନ୍ତି । ସେପଟେ ଆଦର୍ଶ ବିଦ୍ୟାଲୟ ଶିକ୍ଷକ ସଂଘର ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ଯାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ତେବେ ସରକାରଙ୍କ ସହ ଆଲୋଚନା କରି ଯାହା ସମ୍ଭବ ହେବ ତାହା ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ନିଜ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସରକାର ସେମାନଙ୍କ ସମସ୍ଯା ନେଇ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିଛି ନଜର I

