ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର: ପୋକରା ଭାତକୁ ପାଣିଆ ସୋୟାବିନ ତରକାରୀ, ଅବଗତ କଲେ ଶୁଣୁନାହାନ୍ତି ଅଧିକାରୀ

ଖୋର୍ଦ୍ଧା: ପିଲାଙ୍କ ଖାଦ୍ୟରେ ପୋକ ସାଲୁବାଲୁ । ପାଣିଆ ତରକାରୀକୁ ପୋକଡ଼ା ଚାଉଳ । ଯାହାକୁ ନେଇ ଜଟଣୀ କେଦାର ନାଥ ରାୟ ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଅସନ୍ତୋଷ । ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ପୂର୍ବ ସରକାର ଆରମ୍ଭ କରିଥିଲେ ଯୋଜନା । ହେଲେ ଏବେ ପ୍ରଶାସନର ଅପାରଗତାକୁ ଦାୟୀ କରିଛନ୍ତି ଅଭିଭାବକ । ସେପଟେ ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବାକଥା, ଯେତିକି ଟଙ୍କା ଆସୁଛି ସେତିକିରେ ରନ୍ଧା ଯାଉଛି ଖାଦ୍ୟ ।

ଟିକିଏ ଭଲ କରି ଦେଖନ୍ତୁ ଏହି ଭାତକୁ । ଧଳା ଭାତ ଭିତରେ କଳା ପୋକ ସାଲୁବାଲୁ । ତରକାରୀ ନୁହେଁ ତ ହଳଦୀଆ ପାଣିରେ ଭାସୁଛି କିଛି ସୋୟାବିନ ଓ ଆଳୁ । ଏହାକୁ ଖାଉଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ସ୍କୁଲମୁହାଁ କରିବା ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ପୂର୍ବ ସରକାର ଆରମ୍ଭ କରିଥିଲେ ମଧ୍ୟାହ୍ନ ଭୋଜନ ଯୋଜନା । ହେଲେ ଏବେ ଏହା ସତେଯେମିତି ପ୍ରହସନ ପାଲଟିଛି । ସ୍କୁଲରେ ବାଧ୍ୟ ହୋଇ ପିଲାଏ ଏହାକୁ ଖାଉଛନ୍ତି । ଇଏ ହେଉଛି ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୦ ନମ୍ବର ୱର୍ଡରେ ଥିବା କେଦାରନାଥ ରାୟ ପ୍ରଥମିକ ବିଦ୍ୟାଳୟର ଦୃଶ୍ୟ । ଯେଉଁଠି ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢନ୍ତି । ହେଲେ ପୁଷ୍ଟିକର ଖାଦ୍ୟ ବଦଳରେ ପିଲାଙ୍କୁ କିପରି ଖାଦ୍ୟ ଯୋଗାଇ ଦିଆଯାଉଛି ଏହା ଆପଣଙ୍କ ସାମ୍ନାରେ । ଖରାପ ଖାଦ୍ୟ ଦିଆଯାଉଥିବା ପିଲାମାନେ କହିଛନ୍ତି ।

ଏପରି ଦୃଶ୍ୟ ଦେଖିବା ପରେ ଅଭିଭାବକ ସ୍କୁଲକୁ ଆସି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଭିଯୋଗ କରିଥିଲେ । ତେବେ ସେ ଏହାକୁ ନେଇ ନିଜର ଅସହାୟତା ପ୍ରକାଶ କରିଛନ୍ତି । ତାଙ୍କର କହିବା କଥା, ସେ ଉପର ଅଧିକାରୀଙ୍କୁ ଏନେଇ ଅବଗତ କରିଛନ୍ତି କିନ୍ତୁ ସେ ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି । ସେପଟେ ଅପରିଷ୍କାର ପରିବେଶରେ ରୋଷେଇ ଚାଲିଥିବାରୁ ଏହାକୁ ସଫେଇ କରିବାକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଅଭିଭାବକ । ପୁଷ୍ଟିକର ଖାଦ୍ୟ ପରିବର୍ତ୍ତେ, ନିମ୍ନ ମାନର ଖାଦ୍ୟ ପ୍ରଦାନ କରାଯାଉଥିଲେ ମଧ୍ୟ କୌଣସି ଅଧିକାରୀ ପଦକ୍ଷେପ ନେଉ ନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ନଜର ପକାନ୍ତୁ