ଦୁର୍ବଳ ହେଲା ଲଘୁଚାପ, କମିଲା ବର୍ଷା

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁବର୍ଳ ହୋଇଛି । ଲଘୁଚାପ ସହ ଜଡିତ ଘୂର୍ଣ୍ଣିବଳୟ ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଏହାସହ ମୌସୁମୀ ନିମ୍ନ ଚାପରେଖା ରାଜ୍ୟରେ ସକ୍ରିୟ ରହିଛି । ଦୁଇ ପ୍ରକାର ପାଣିପାଗ ନିୟାମକ ପାଇଁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତା କାଲି ସକାଳ ସାଢେ ଆଠଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୧୬ଟି ଜିଲ୍ଳାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଏବଂ ଢେଙ୍କାନାଳ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ ବୋଲି ଆକଳନ କରାଯାଇଛି । ସେହିଭଳି କାଲି ସକାଳ ସାଢେ ଆଠଟା ଠାରୁ ୭ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ୭ ତାରିଖରୁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪.୯ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ତାହା ସ୍ବାଭାବିକ ବର୍ଷାର ୩୨୯ ପ୍ରତିଶତ । ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୭୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ତାହା ସ୍ବାଭାବିକ ଠାରୁ ୮୫୫ ପ୍ରତିଶତ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।